ଏନଏନଏସ୍: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆସନ୍ତାକାଲି ଦିନ ୧୦.୪୦ ରେ ଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବେ ରାଷ୍ଟ୍ରପତି । ମହାମହିମଙ୍କ ଗସ୍ତକୁ ନେଇ ମୟୂରଭଞ୍ଜ ଜିଲ୍ଲାର ୪ଟି ସ୍ଥାନରେ ନିର୍ମିତ ହୋଇଛି ହେଲିପ୍ୟାଡ୍ । ବାଦାମ ପାହାଡ଼, ଦାଣ୍ଡସ, ଯଶିପୁର ଓ ବାରିପଦାଠାରେ ହେଲିପ୍ୟାଡ୍ ନିର୍ମିତ ହୋଇଛି । ମୟୁରଭଞ୍ଜରେ ପହଞ୍ଚିବା ପରେ ପ୍ରଥମେ ମହାମହିମ ରାଷ୍ଟ୍ରପତି ସ୍ୱର୍ଗତ ସ୍ୱାମୀ ଶ୍ୟାମଚରଣ ମୁର୍ମୁଙ୍କ ସମାଧିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ଏହାପରେ ସେଠାରୁ ଗୋଷାଣୀ ନୂଆଗାଁ ଗସ୍ତରେ ଯିବେ ରାଷ୍ଟ୍ରପତି ।
ସେହିଭଳି ଶିମିଳିପାଳରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି । ୫ ତାରିଖରେ ଶିମିଳିପାଳ ପରିଦର୍ଶନରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୫ ତାରିଖ ଅପରାହ୍ଣରେ ମହାମହିମ ବାରିପଦା ହେଲିପ୍ୟାଡ୍ ରେ ପହଞ୍ଚିବା ପରେ ବାରିପଦା ସର୍କିଟ ହାଉସଠାରେ ରାତ୍ରୀ ଯାପନ କରିବାର କାର୍ୟ୍ୟକ୍ରମ ରହିଛି । ସେହିଭଳି ୬ତାରିଖ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ସେଥିପାଇଁ ବିଶ୍ୱ ବିଦ୍ୟାଳୟରେ ମଧ୍ୟ ପ୍ରସ୍ତୁତି ଶେଷ ହୋଇଛି ।