ଏନଏନଏସ୍: ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଗତକାଲି ବରିଷ୍ଠ ନାଗରିକଙ୍କ ପାଇଁ ରେଳ ଟିକେଟ୍ ମୂଲ୍ୟରେ ରିହାତି ପାଇଁ ଦାଖଲ କରାଯାଇଥିବା ପିଟିସନ୍ କୁ ଖାରଜ କରିଛନ୍ତି। ଜଷ୍ଟିସ ସଂଜୟ କିଶାନ କାଉଲ ଓ ଆସାନୁଦ୍ଦିନ ଅମନୁଲ୍ଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରି ପିଟିସନକୁ ଖାରଜ କରିଛନ୍ତି। ତେବେ କୋଭିଡ ସମୟରେ ବରିଷ୍ଠ ନାଗରିକମାନଙ୍କୁ ଦିଆଯାଇଥିବା ରିହାତି ବନ୍ଦ କରାଯାଇଥିଲା ବୋଲି ପିଟିସନ୍ ର ଶୁଣାଣି ବେଳେ ଆବେଦନକାରୀଙ୍କ ପକ୍ଷରୁ କୁହାଯାଇଛି। ଏନେଇ ପୁଣି ଥରେ ଏହି ରିହାତି ବ୍ୟବସ୍ଥାକୁ ଲାଗୁ କରିବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଯୁକ୍ତି ଦର୍ଶା ଯାଇଥିଲା।
ସାରା ବିଶ୍ୱରେ ବରିଷ୍ଠ ନାଗରିକମାନେ ବହୁ ସୁବିଧା ପାଉଥିବା ବେଳେ ଆମ ଦେଶରେ ମାତ୍ର ୧୦ ପ୍ରତିଶତ ବରିଷ୍ଠ ନାଗରିକ ଥିବାରୁ ଏହି ବ୍ୟବସ୍ଥା ପୁଣି ଥରେ ଚାଲୁ କରିବା ପାଇଁ ଯୁକ୍ତି କରାଯାଇଥିଲା। ଖଣ୍ଡପୀଠ ଏହି ଯୁକ୍ତିକୁ ଗ୍ରହଣ କରିବା ସହ ଏହା ଦେଶର ପଲିସି ବ୍ୟବସ୍ଥା କଥା ବୋଲି ମୌଖିକ ଭାବେ କହିବା ସହ ଆବେଦନକୁ ଖାରଜ କରିଛନ୍ତି।