ଭଞ୍ଜନଗର(ଏନଏନଏସ୍): ଭଞ୍ଜନଗର ଥାନା ଅଧୀନ କୁଲାଡ଼ ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉକ୍ତ ଗ୍ରାମର ବାସୁଦେବ ସାହୁଙ୍କ ପୁଅ ଅଭିମନ୍ୟୁ ସାହୁ ସ୍ତ୍ରୀ ର ନିର୍ୟ୍ୟାତନା ସହି ନପାରି ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଖବର ଅନୁଯାୟୀ ଅଭିମନ୍ୟୁ ୭ ବର୍ଷ ପୂର୍ବେ ସୋରଡ଼ା ବ୍ଲକ ଅନ୍ତର୍ଗତ କେରୁଆଁଝୋଳି ଗ୍ରାମର ଲିଜା ମହେଶ୍ୱରୀ ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଏକ ୪ ବର୍ଷର କନ୍ୟା ସନ୍ତାନ ମଧ୍ୟ ରହିଛି । ବିବାହର କିଛି ବର୍ଷ ସବୁ ଠିକ ଚାଲିଥିବାବେଳେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପାରିବାରିକ କଳହ ସୃଷ୍ଟି ହୋଇଥିଲା ଏହାପରେ ଅଭିମନ୍ୟୁ ସ୍ତ୍ରୀଙ୍କୁ ନେଇ ସୁରଟକୁ ଚାଲିଯାଇଥିଲେ ସେଠାରେ ରହି ରୋଜଗାର କରିବା ସହ ମିଳିମିଶି ହସଖୁସିରେ ରହୁଥିଲେ ।
କୌଣସି କାରଣରୁ ସେଠାରେ ଦୁଇ ଜଣକ ଭିତରେ ଭୁଲ ବୁଝାମଣା ହୋଇଥିଲା ଏହା ଫଳରେ ସ୍ତ୍ରୀ ଲିଜା ସେଠାକାର ଥାନାରେ ସ୍ୱାମୀଙ୍କ ନାମରେ ଅଭିଯୋଗ କରିଥିବା ନେଇ ସୂଚନା ରହିଛି । ପାଞ୍ଚ ଦିନ ତଳେ ମହିଳା ସମାଜସେବୀ ପ୍ରମିଳା ତ୍ରିପାଠୀ ଆଣିଥିବା ବେଳେ ମଙ୍ଗଳବାର ଦିନ ସ୍ତ୍ରୀ ଲିଜା ଓ ଅନ୍ୟ ୭ ଜଣ ମହିଳାଙ୍କୁ ନେଇ ଅଭିମନ୍ୟୁଙ୍କ ଘରେ ପହଁଚିବା ସହ ନାନାଦି ପ୍ରକାରେ ଗାଳି ଗୁଲଜ କରିଥିଲେ ଏହାପରେ ସ୍ୱାମୀଙ୍କୁ ଭରଣପୋଷଣ ପାଇଁ ମାସକୁ ଟଙ୍କା ଦେବା ପାଇଁ କହିଥିଲେ କିନ୍ତୁ ଏହାର ସମାଧାନ ନ ହେବାରୁ ଅଭିମନ୍ୟୁଙ୍କ ନାମରେ ଥାନାରେ କେସ୍ ଦେଇ ହାଜତରେ ପୁରାଇଦେବେ ବୋଲି ଧମକ ମଧ୍ୟ ଦେଇଥିଲେ ।
ଏହି କଥା ଶୁଣିବା ପରେ ଅଭିମନ୍ୟୁ ସହି ନପାରି ବାଲୁଙ୍କେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ବ୍ଲେଡରେ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଭିମନ୍ୟୁଙ୍କୁ ଦେଖି ମନ୍ଦିର ପୂଜାରୀ ଗାଁ ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଗ୍ରାମବାସୀ ଓ ତାଙ୍କ ବାପା ପହଞ୍ଚି ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ଅଭିମନ୍ୟୁ ଡାକ୍ତରଖାନାରେ ଏବେ ଚିକିତ୍ସିତ ଅବସ୍ଥାରେ ଥିବା ବେଳେ ପୁଅ ପ୍ରତି ଅନ୍ୟାୟ କରି ବୋହୁ ନିର୍ୟ୍ୟାତନା ଏବଂ ଧମକ ଦେଉଥିବାରୁ ପୁଅ ଆଜି ଏହି ଭଳି ଚରମ ପଦକ୍ଷେପ ନେଇଥିବା ଅଭିମନ୍ୟୁଙ୍କ ବାପା ଗଣମାଧ୍ୟମ ଆଗରେ ଅଭିଯୋଗ କରିଛନ୍ତି ।