ଏନଏନଏସ୍: ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଘୋଷଣା କଲେ ୨ ଦିନିଆ ରାଷ୍ଟ୍ରୀୟ ଶୋକ । ଏହାସହ ପଞ୍ଜାବରେ ଛୁଟି ଘୋଷଣା । ଶିରୋମଣୀ ଅକାଳୀ ଦଳ ପ୍ରତିଷ୍ଠାତା ମୁଖ୍ୟ ତଥା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂ ବାଦଲଙ୍କ ଦେହାନ୍ତରେ କେନ୍ଦ୍ର ସରକାର ଦୁଇ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି । ଗତକାଲି ମୋହାଲିର ଏକ ଘରୋଇ ହସ୍ପିଟାଲର ସେ ଚିକିତ୍ସାଧୀନ ଅବସ୍ଥାରେ ୯୫ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗ ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ ବହୁ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତିବିଶେଷ ଶୋକ ପ୍ରକାଶ କରିବା ସହ ଦିବଙ୍ଗତ ଆତ୍ମାର ସଦଗତି କାମନା କରିଥିଲେ ।
ଗତ କିଛି ମାସ ହେବ ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଥିଲେ । ସ୍ବାସ୍ଥ୍ୟଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ମୋହାଲିର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମଙ୍ଗଳବାର ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଓ ଚିକିତ୍ସା ସମ୍ପର୍କରେ ତଦାରଖ କରିଥିଲେ । ଶିରୋମଣୀ ଅକାଳି ଦଳର ପ୍ରତିଷ୍ଠାତା ପଞ୍ଜାବ ରାଜନୀତିର ଜଣେ ଭେଟେରାନ ଚେହେରା ଥିଲେ । ସେ ୫ ଥର ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ । ସେ ତାଙ୍କ ରାଜନୈତିକ ଜୀବନରେ ବାଦଲଙ୍କ ଠାରୁ ବେଶ କିଛି ଶିକ୍ଷା ଲାଭ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ବାଦଲକଙ୍କ ସହ ସାକ୍ଷାତର ଏକାଧିକ ଫଟୋ ମଧ୍ୟ ଟ୍ବିଟ କରିଛନ୍ତି ।