ପୁରୀ(ଏନଏନଏସ୍): ଆସନ୍ତା ଜୁନ ୨୦ରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏନେଇ ପୋଲିସ ପ୍ରଶାସନ ବେଶ ତତ୍ପର । ସଠିକ ଭାବେ ରଥଯାତ୍ରା ପରିଚାଳନା କରିବା ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ। ଶୃଙ୍ଖଳିତ ଘୋଷଯାତ୍ରା ପାଇଁ ସହରରେ ଜୋରସୋର୍ରେ କାମ ଆଗେଇ ଚାଲିଛି । ପୁରୀ ମେଡିକାଲ ଛକଠାରୁ ବାଟଗାଁ ରାସ୍ତା ହେବ ଚାରି ଲେନ୍। ଯାହାଦ୍ୱାରା ପୁରୀକୁ ଆସୁଥିବା ଭକ୍ତ, ପର୍ଯ୍ୟଟକଙ୍କୁ ଆଉ ଟ୍ରାଫିକ ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ।
ଅନ୍ୟପଟେ ଜେଲ୍ ରୋଡରେ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ନେଇ ଆଜିଠାରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବରୁ ଏନେଇ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ବିସ୍ଥାପିତଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଇଛି। ରାସ୍ତା ପ୍ରଶସ୍ତିକରଣ କାର୍ୟ୍ୟକୁ ସ୍ବାଗତ କରିଛନ୍ତି ଉଭୟ ବିସ୍ଥାପିତ ଓ ସହରବାସୀ। ସେହିଭଳି ୧୧ଟି ମୌଜାରେ ୫ଏକର ଘରୋଇ ଜମି ଓ ୧ ଏକର ସରକାରୀ ଜମି ଥିବାରୁ ଖୁବଶୀଘ୍ର ପ୍ରଶାସନ ଏହାକୁ ଅଧିଗ୍ରହଣ କରିବା ପାଇଁ ଲକ୍ଷ୍ୟ ରଖିଛି।