ଯାଜପୁର(ଏନଏନଏସ୍): ପ୍ରେମ ହେଉଛି ଚିର ଶାଶ୍ୱତ ଏବଂ ନିରନ୍ତର । ପ୍ରକୃତ ପ୍ରେମରେ କେବେ ବି ସ୍ୱାର୍ଥ ନଥାଏ କିନ୍ତୁ ଯଦି କୌଣସି ପ୍ରେମରେ ସ୍ୱାର୍ଥ ଥାଏ ତେବେ ସେହି ପ୍ରେମ ପାଇଁ ମଣିଷ କିଛି ବି କରିପାରେ । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ବୈରି ଥାନା ଅଧିନ ବିରିଜଙ୍ଗା ଗ୍ରାମରେ । ସୂଚନାଯୋଗ୍ୟ ବିରିଜଙ୍ଗା ଗ୍ରାମର ପ୍ରଭାତ କୁମାର ଲେଙ୍କା (୨୯) ବୈରି ଗ୍ରାମର ଗୁରୁ ଚରଣ ସାହୁଙ୍କ ଝିଅ ନମିତା ସାହୁଙ୍କୁ ଭଲପାଉଥିଲେ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କ ଥିବା କହିଛନ୍ତି ପରିବାର ଲୋକେ ।
ଅଭିଯୋଗ ଅନୁଯାୟୀ ପ୍ରେମିକ ପ୍ରଭାତଙ୍କୁ ବାରମ୍ବାର ଟଙ୍କା ଏବଂ ଅଳଙ୍କାର ଦାବି କରୁଥିଲା ପ୍ରେମିକା । ଏନେଇ ପ୍ରେମିକ ବିବାହ କଥା କହିବାରୁ ପ୍ରେମିକା ଜଣଙ୍କ ଏସବୁ ବିଷୟରେ କିଛି ଜାଣି ନଥିବା କହିଥିଲେ । ଏହି ଘଟଣା ସମ୍ପର୍କରେ ବୈରି ଥାନାରେ ଅଭିଯୋଗ ହେବା ପରେ ଆପୋଷ ବୁଝାବଣାରେ ସମାଧାନ ହୋଇଥିଲା । କିନ୍ତୁ ଏସବୁ ପରେ ମଧ୍ୟ ବିବାହ ପାଇଁ ପ୍ରେମିକା ରାଜି ନହେବାରୁ ନିଜ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ପୋଷ୍ଟ କରି ଜୀବନ ହାରିଛି ପ୍ରେମିକ ପ୍ରଭାତ । ପରେ ଘରଲୋକ ପ୍ରଭାତକୁ ଚିକିତ୍ସା ପାଇଁ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବା ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏନେଇ ପ୍ରଭାତଙ୍କ ମର ଶରୀରକୁ ବୈରି ଥାନା ସମ୍ମୁଖରେ ରଖି ନ୍ୟାୟ ଦାବି କରଛନ୍ତି ଗ୍ରାମର ଶତାଧିକ ଲୋକ ।