ପୁରୀ(ଏନଏନଏସ୍): ଆଜି ମୁସଲମାନମାନେ ପାଳନ କରୁଛନ୍ତି ଇଦ୍-ଉଲ୍-ଫିତର । ରୋଜା ସହ ଶେଷ ହୋଇଛି ଧାର୍ମିକ ମାସ ରମଜାନ୍ । ପରସ୍ପରକୁ ଶୁଭେଚ୍ଛା ଜଣାଇବା ସହ ଆନନ୍ଦର ସହ ପାଳନ ହେଉଛି ଇଦ୍ । ଇଦ୍-ଉଲ୍-ଫିତର ହେଉଛି ମୁସଲମାନ୍ ସମ୍ପ୍ରଦାୟର ସବୁଠାରୁ ବଡ ପର୍ବ । ସମଗ୍ର ବିଶ୍ୱରେ ଇଦ୍ ପର୍ବ ପାଳନ କରାଯାଏ । ଇଦ୍ ପାଳନ ନେଇ ମୁସଲମାନ ସମ୍ପ୍ରଦାୟରେ ବେଶ ଉତ୍ସାହ ଦେଖାଯିବା ସହ ମସଜିତ୍ ଗୁଡିକ ସଜାଯାଇଥାଏ । ଏଥିସହ ମୁସଲମାନ ସମ୍ପ୍ରଦାୟର ଲୋକ ନୂଆ ପୋଷାକ ପିନ୍ଧିବା ସହିତ ଘରେ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରନ୍ତି । ଏହି ଅବସରରେ କାଲୁକା କଳା ମାଧ୍ୟମରେ ଅଭିନନ୍ଦନ ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନିଳାଦ୍ରୀ ବେଳାଭୂମିରେ ଆକର୍ଷଣୀୟ ବାଲୁକାକୃତୀରେ ଅର୍ଦ୍ଧଚନ୍ଦ୍ର ସହ ଇଦ୍ ମୁବାରକ ଲେଖି ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏହାକୁ ଦେଖିବା ପାଇଁ ବେଳାଭୂମିରେ ଲୋକଙ୍କ ଭିଡ ମଧ୍ୟ ଜମିଛି ।