ନୂଆଦିଲ୍ଲୀ : ଆଉ କିଛି ଦିନ ପରେ ଅନୁଷ୍ଠିତ ହେବ ୪ ରାଜ୍ୟ ଓ ୧ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ । ଚଳିତ ମାସ ୨୭ ତାରିଖରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ରାଜନୈତିକ ଦଳଗୁଡ଼ିକର ପ୍ରଚାର ଅଭିଯାନ ଜୋରଦାର ଚାଲିଛି । ତେବେ ଏହା ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଛାଟ ବାଜିଛି । ୪ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପ୍ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଙ୍ଗ୍ ଦ୍ୱାରା ଆଦର୍ଶ ଆଚାର ସଂହିତା ଉଲ୍ଲଂଘନ ହେଉଛି ବୋଲି ନିର୍ବାଚନ କମିଶନ କହିଛନ୍ତି । ଏଥିସହ ୭୨ ଘଣ୍ଟା ମଧ୍ୟରେ ପେଟ୍ରୋଲ ପମ୍ପ୍ରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ସବୁ ହୋର୍ଡିଙ୍ଗ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ । ନିର୍ବାଚନ କମିଶନ ଫେବ୍ରୁଆରୀ ୨୬ରେ ପଶ୍ଚିମବଙ୍ଗ, ତାମିଲନାଡୁ, ଆସାମ, କେରଳ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରିରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଥିଲେ । ଏହାପରେ ଏହିସବୁ ରାଜ୍ୟରେ ନିର୍ବାଚନ ଆଚରଣ ସଂହିତା ଲାଗୁ ହୋଇଯାଇଛି । ସେପଟେ କରୋନା ଟିକା ଦିଆଯିବା ପରେ ମିଳିବାକୁ ଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବାରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ପକ୍ଷରୁ ଏହାକୁ ବିରୋଧ କରାଯାଇଛି । ଟିଏମ୍ସିର ରାଜ୍ୟସଭା ସଦସ୍ୟ ଡେରେକ୍ ଓ ବ୍ରିଏନ୍ ବୁଧବାର କହିଛନ୍ତି, ନିର୍ବାଚନ ତାରିଖ ଘୋଷଣା କରାଯାଇଛି । ଏଭଳି ସ୍ଥିତିରେ ଭାକ୍ସିନ୍ ସାର୍ଟିଫିକେଟ୍ରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଯିବା ଠିକ୍ ନୁହେଁ । ନିର୍ବାଚନ କମିଶନଙ୍କ ସମ୍ମୁଖରେ ଆମ ଦଳ ଏହି ପ୍ରସଙ୍ଗ ଉଠାଇବ ।