ମୟୁରଭଞ୍ଜ(ଏନଏନଏସ୍): ଅଶାନ୍ତ ଜାତୀୟ ଉଦ୍ୟାନ ଶିମିଳିପାଳ। ଅସୁରକ୍ଷିତ ଜୀବଜନ୍ତୁ। ସକ୍ରିୟ ମାଫିଆ ଏବଂ ଶିକାରୀ। ଫେଲ ମାରିଛି ସୁରକ୍ଷା ବ୍ୟବସ୍ଥା। ମାତ୍ର ଶିମିଳିପାଳ ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରୀ ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ହେଲେ ମୋଟା ଅଙ୍କର ଦରମା ନେଇ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଦାୟିତ୍ବରେ ଥିବା ଅଧିକାରୀ ଏବଂ କର୍ମଚାରୀ ଆଉ କାହା ପାଇଁ କାମ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ତେବେ ପୁଣି ଶିମିଳିପାଳ ପାଦଦେଶରେ ଥିବା ଅସ୍ତକୁଆଁର ଗାଁରୁ ୪ଟି ହାତୀ ଦାନ୍ତ ଜବତ ହୋଇଛି ।
ସୂଚନାଯୋଗ୍ୟ ଜଣଙ୍କ ଘରେ ଚଢାଉ କରି ବନବିଭାଗ ହାତୀ ଦାନ୍ତ ଜବତ କରିଛି । ହାତୀ ଦୁଇଟିକୁ ୨୦୨୨ ଡିସେମ୍ବର ଓ ୨୦୨୩ ଫେବୃୟାରୀ ମାସରେ ଜେନାବିଲ ରେଞ୍ଜର ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ଶିକାରୀମାନେ ଶିକାର କରିଥିଲେ । ଅଭିଯୁକ୍ତ ଜଣଙ୍କ ହେଲେ ଯଶୀପୁର ଥାନା ଅଧୀନ ବାଗଡେଗା ଗଡଶିମିଳିପାଳର ୩୧ ବର୍ଷ ବୟସ୍କ ରଘୁନାଥ ପିଙ୍ଗୁଆ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନିଙ୍କ ନିର୍ଦ୍ଦେଶ କ୍ରମେ ବନବିଭାଗର ଏକ ସ୍ବତନ୍ତ୍ର ଟିମ୍ ହାତୀଦାନ୍ତ ଉଦ୍ଧାର କରିବା ସହିତ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲେ । ଘଟଣାରେ ଜଡିତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।