କେନ୍ଦ୍ରାପଡା(ଏନଏନଏସ୍): ବିବାହର ମାସେ ପରେ ଝିଅକୁ ହତ୍ୟା କଲେ ଶାଶୁଘର ଲୋକେ । ଏଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡା ଡେରାବିଶ ଥାନା ଶବଳଙ୍ଗ ଗାଁରୁ । ଘଟଣା ମୁତାବକ, ବରୀ ବ୍ଲକ ବିଦୁରୂପା ଗାଁର ପିଙ୍କିରାଣୀ ବେହେରା ଗତ ମାର୍ଚ୍ଚ ମାସରେ ଶବଳଙ୍ଗ ଗାଁର ଉତମ କୁମାର ଦାସଙ୍କୁ ବିବାହ କରିଥିଲେ । ବିବାହର ମାସେ ଭିତରେ ଝିଅର ଶାଶୁଘର ଲୋକଙ୍କ ସହ କଳହ ଲାଗି ରହୁଥିଲା । ଏନେଇ ଗତକାଲି ରାତିରେ ପିଙ୍କିରାଣୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଖବର ପାଇଥିଲେ ବାପଘର ଲୋକେ । ଖବର ପାଇ ପିଙ୍କିଙ୍କ ବାପା ଓ ଭାଇ ତାଙ୍କ ଶାଶୁଘରେ ପହଂଚିବା ବେଳକୁ ପିଙ୍କିଙ୍କର ମୃତ୍ୟୁ ହୋଇ ସାରିଥିଲା । ଏହାପରେ ପିଙ୍କିଙ୍କ ବାପା ସନାତନ ବେହେରା ଝିଅର ସ୍ୱାମୀ ଉତମ ଦାସ, ଶଶୁର ଅଜିତ ଦାସ ଓ ଶାଶୁ ଲକ୍ଷ୍ମୀ ଦାସଙ୍କ ନାଁରେ ଡେରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ତାଙ୍କ ଘରେ ପହଂଚିବା ବେଳକୁ ସ୍ୱାମୀ ଓ ଶାଶୁ ଫେରାର ହୋଇ ଯାଇଥିବା ବେଳେ ଶଶୁର ଅଜିତଙ୍କୁ ଗିରଫ କରିଛି ପୋଲିସ । ତେବେ ଘଟଣାସ୍ଥଳରେ ପୋଲିସ ସହ ସାଇଂଟିଫିକ ଟିମ ପହଂଚି ତଦନ୍ତ କରୁଥିବା ଜଣାପଡିଛି ।