ଆଜିକାଲି ଉଚ୍ଚରକ୍ତଚାପ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି କମ ବୟସର ପିଲାମାନଙ୍କ ପାଖରେ ଦେଖିବାକୁ ମିଳୁଛି । ବର୍ତ୍ତମାନ ଏହା ଏକ ସାଧାରଣ ଶାରୀରିକ ସମସ୍ୟାରେ ପରିଣତ ହୋଇଛି । ଖରାପ ଖାଦ୍ୟ-ପାନୀୟ ଏବଂ ଖରାପ ଜୀବନଶୈଳି ପାଇଁ ସବୁ ବର୍ଗର ଲୋକଙ୍କ ପାଖରେ ଉଚ୍ଚରକ୍ତଚାପର ସମସ୍ୟା ଦେଖାଯାଉଛି । ଉଚ୍ଚ ରକ୍ତଚାପ ସମସ୍ୟା ସ୍ୱାସ୍ଥ୍ୟ ପାଇଁ ଏକ ବିପଜ୍ଜନକ ରୋଗ ସୃଷ୍ଟି କରିପାରେ କାରଣ ଏହା ହୃଦଘାତ ଏବଂ ଷ୍ଟ୍ରୋକ୍ ପରି ସମସ୍ୟା ସୃଷ୍ଟି କରିଥାଏ ତେଣୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ ।
ଆପଣମାନେ ଜାଣିଥିବେ ଆମ ହୃଦୟ ଶିରା ମାଧ୍ୟମରେ ରକ୍ତ ସମଗ୍ର ଶରୀରରେ ପହଞ୍ଚିଥାଏ । ଯାହାଫଳରେ ଶରୀରର ସମସ୍ତ ଅଙ୍ଗ ସଠିକ୍ ଭାବରେ କାର୍ୟ୍ୟ କରିଥାଏ । ତେଣୁ ଏକ ନିର୍ଦ୍ଦିଷ୍ଟ ଚାପ ସହିତ ରକ୍ତ ପ୍ରବାହ ଆବଶ୍ୟକ, କିନ୍ତୁ ଯେତେବେଳେ ଧମନୀରେ ଚାପ ବଢେ ଏହା ରକ୍ତ ସଞ୍ଚାଳନକୁ ପ୍ରଭାବିତ କରେ । ଏନେଇ ସୁସ୍ଥ ଶରୀର ପାଇଁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ତେବେ ଏନେଇ ଅନେକ ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିଥାନ୍ତି କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏଭଳି କିଛି ଘରୋଇ ଉପଚାର ରହିଛି, ଯାହାକୁ ଆପଣାଇ ଆପଣ ଉଚ୍ଚ ରକ୍ତଚାପ ସମସ୍ୟାକୁ ନିୟନ୍ତ୍ରଣରେ ରଖିପାରିବେ । ତେବେ ଜାଣି ରଖନ୍ତୁ କ’ଣ ସେହି ଉପାୟ. . .
ଅଧିକ ଉଚ୍ଚ ରକ୍ତ ଚାପ ସମସ୍ୟାରେ, ଅଳ୍ପ ପରିମାଣରେ ଲୁଣ ଖାଆନ୍ତୁ । ଯଦି ସମ୍ଭବ, ଲୁଣକୁ ସମ୍ପୂର୍ଣ୍ଣ ଛାଡିଦିଅନ୍ତୁ । ଉଚ୍ଚ ରକ୍ତଚାପରେ କଫି ଏବଂ ଚା ବ୍ୟବହାର ମଧ୍ୟ କ୍ଷତିକାରକ । ଏଥିସହ ଖାଦ୍ୟରେ ପୋଟାସିୟମର ପରିମାଣକୁ ହ୍ରାସ କରନ୍ତୁ ।
ହାଇ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବାରେ ଡାର୍କ ଚକୋଲେଟ୍ ମଧ୍ୟ ସହାୟକ ହୋଇଥାଏ । ଡାର୍କ ଚକୋଲେଟରେ ଫ୍ଲାଭାନୋଲ ଥାଏ ଯାହା ଶିରାକୁ ଆରାମ ଦେଇଥାଏ । ଅନେକ ଅଧ୍ୟୟନରେ ଏହା ଜଣାପଡିଛି ଯେ ଯଦି ଆପଣ ନିୟମିତ ଡାର୍କ ଚକୋଲେଟ୍ ଖାଆନ୍ତି, ତେବେ ଏହା ରକ୍ତ ଚାପକୁ ନିୟନ୍ତ୍ରଣରେ ରଖେ ।
ସେହିଭଳି ରକ୍ତଚାପ ସମସ୍ୟାକୁ କମ କରିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ । ଏଥିସହ ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ବସି ରହିବା ଦ୍ୱାରା ରକ୍ତଚାପ ସମସ୍ୟା ବଢିଥାଏ ।
ଏସବୁ ବ୍ୟତୀତ ଉଚ୍ଚ ରକ୍ତଚାପକୁ କମ କରିବା ପାଇଁ ପ୍ରତିଦିନ ୨୫ ରୁ ୩୦ ମିନିଟ୍ ବ୍ୟାୟାମ କରନ୍ତୁ । ଏଥିସହ ଶରୀରକୁ ହାଇଡ୍ରେଟ୍ ରଖିବା ପାଇଁ ପ୍ରଚୁର ପାଣି ପିଅନ୍ତୁ । ଏନେଇ ପ୍ରତିଦିନ ୮ ରୁ ୧୦ ଗ୍ଲାସ ପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ ।