ପୁରୀ(ଏନଏନଏସ୍): ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନୀତି । ଏନେଇ ସନ୍ଧ୍ୟାରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ଟା ରୁ ରାତି ୧୦ଟା ପର୍ଯ୍ୟନ୍ତ ଭକ୍ତମାନେ ଶ୍ରୀବିଗ୍ରହଙ୍କ ଦର୍ଶନରୁ ବଞ୍ଚିତ ହେବେ । ବନକଲାଗି ନୀତି ହେଉଛି ମହାପ୍ରଭୁଙ୍କ ଗୁପ୍ତ ନୀତି । ମହାପ୍ରଭୁଙ୍କ ଏହି ନୀତି ପାଇଁ ଶ୍ରୀମନ୍ଦିରର ଜୟ ବିଜୟ ଦ୍ୱାର ବନ୍ଦ ରହିବ । ଏନେଇ ଦ୍ୱିତୀୟ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଏଥିପାଇଁ ଦତ୍ତମହାପାତ୍ର ସେବକ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରିଥାନ୍ତି।
ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ବନକଲାଗି ନୀତି ପରେ ମହାପ୍ରଭୁଙ୍କ ସ୍ନାନ କରାଯାଇ ପୁନର୍ବାର ଦର୍ଶନ ଆରମ୍ଭ ହେବ।