ଏନଏନଏସ୍: ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ । ସୌମ୍ୟଙ୍କ ସ୍ତ୍ରୀ ବିଦ୍ୟାଭାରତୀ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁୁ ନୋଟିସ୍ ଜାରି କରିଛନ୍ତି କୋର୍ଟ । ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ରଙ୍କ ଆବେଦନକୁ ଗ୍ରହଣ କରି ପାରଳାଖେମୁଣ୍ଡି ଏସଡିଜେଏମ୍ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ସେ ଏଥିରେ ଦର୍ଶାଇଥିଲେ ଯେ ପୁଅ ସୌମ୍ୟ ଆତ୍ମହତ୍ୟା କରିନାହାନ୍ତି ବରଂ ଏହା ପଛରେ ହତ୍ୟା ଷଡଯନ୍ତ୍ର ରହିଛି । ଏହି ଆବେଦନର ଶୁଣାଣି କରି କୋର୍ଟ ବିଦ୍ୟାଭାରତୀ ଓ ଡିଏଫ୍ଓଙ୍କୁ ନୋଟିସ୍ ଜାରି କରିଛନ୍ତି । ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତା ୨୭ତାରିଖରେ କୋର୍ଟରେ ହାଜର ହେବାକୁ ସମନ କରାଯାଇଛି।
ସୂଚନା ଅନୁସାରେ ଗତ ୨୦୨୧ମସିହା ଜୁଲାଇ ମାସରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ୯୦ ଭାଗ ପୋଡି ଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ପୁଣି ଥରେ ମାମଲାର ଶୁଣାଣି ହେବ ଜଣାପଡିବା ପରେ ସୌମ୍ୟଙ୍କ ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ଅଛନ୍ତି ।