ରାୟଗଢ଼,୧୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ମହରାଷ୍ଟ୍ରର ରାୟଗଢ଼ ଜିଲ୍ଲାରେ ଏକ ଖାଇରେ ବସ୍ ଖସିପଡ଼ିବାରୁ ଅନ୍ୟୂନ ୧୩ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।ପୁଣେର ପିମ୍ପଲ୍ ଗୁରବରୁ ଜର୍ଜଗାଓଁ ଯାଉଥିବା ବେଳେ ବସଟି ପାହାନ୍ତା ଭୋର ୪.୩୦ରେ ପୁଣେ-ରାୟଗଢ଼ ସୀମାନ୍ତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମୟରେ ବସ୍ରେ ୪୧ଜଣ ଯାତ୍ରୀ ଥିଲେ। ଏବେବି ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଚାଲିଛି।
ରାୟଗଢ଼ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ସୋମନାଥ ଗାର୍ଗେ ଗଣମାଧ୍ୟମକୁ କହିଛନ୍ତି, ରାୟଗଢ଼ର ଖୋପୋଲି ଅଞ୍ଚଳରେ ବସ୍ଟି ଖାଇରେ ପଡ଼ିଯିବାରୁ ୧୩ଜଣଙ୍କର ମୃତ୍ୟ ଘଟିଥିବା ବେଳେ ୨୫ଜଣ ଆହତ ହୋଇଛନ୍ତି। ଉଦ୍ଧାର କାର୍ୟ୍ୟ ଚାଲିଛି। ଆଉ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ, ଏହି ଘରୋଇ ବସ୍ଟି ପୁଣେରୁ ମୁମ୍ବାଇ ଯାଉଥିବା ବେଳେ ପୁରୁଣା ମୁମ୍ବାଇ-ପୁଣେ ରାଜପଥର ସିଂଗ୍ରୋବା ମନ୍ଦିର ନିକଟରେ ଥିବା ଖାଇକୁ ଖସିପଡ଼ିଥିଲା। ସୂଚନା ଅନୁସାରେ, ଗୌରେଗାଓଁ ଅଞ୍ଚଳର ଗୋଟାଏ ସଂସ୍ଥା ସହିତ ସମ୍ପୃକ୍ତ ଥିବା କିଛି ଲୋକ ପୁଣେରେ ଆୟୋଜନ କରାଯାଇଥିବା କାର୍ୟ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ପୁଣେରୁ ଫେରିବା ବାଟରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଜଣାପଡ଼ିନାହିଁ।