ଭୁବନେଶ୍ୱର,୧୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ଅଫିସରେ କାମ କରିବା ପାଇଁ ଦୀର୍ଘ ସମୟ ଧରି ବସିରହିବା ଏକ ସାଧାରଣ କଥା । କାରଣ ଅଫିସ ଭିତରେ ହେଉ କି କୌଣସି ସ୍ଥାନରେ ଗତିହୀନ ଭାବେ କ୍ରମାଗତ ୮ ଘଣ୍ଟା ବସିରହି କାମ କରିବାକୁ ପଡ଼େ ତ ଏହାର ପ୍ରଭାବ ଲୋକଙ୍କ ସ୍ମରଣଶକ୍ତି ଉପରେ ପଡିଥାଏ । ଏଥିଯୋଗୁ ସ୍ମରଣଶକ୍ତି ଦୁର୍ବଳ ହୋଇଯାଏ । ଫଳରେ ମଣିଷ ଅନେକ ସମୟରେ ଜରୁରି କଥାକୁ ଭୁଲି ଯାଏ । ନିକଟରେ କରାଯାଇଥିବା ଏକ ଅଧ୍ୟୟନରୁ ଏକଥା ସାମ୍ନାକୁ ଆସିଛି ।
ତେବେ ଏହି ଅଧ୍ୟୟନରେ କୁହାଯାଇଛି କି ଯେଉଁମାନେ ଦୈନିକ ୮ ଘଣ୍ଟା ପର୍ୟ୍ୟନ୍ତ ଗୋଟିଏ ସ୍ଥାନରେ ବସିରହି କାମ କରୁଛନ୍ତି ସେମାନେ ଦିନକୁ ଅତିକମ୍ରେ ୩ ଘଣ୍ଟା ପର୍ୟ୍ୟନ୍ତ ଠିଆହୋଇ ରହିବାକୁ ପଡିବ । ଏହା ତାଙ୍କୁ ଲମ୍ବା ଜୀବନ ଜୀଇଁବାରେ ସହାୟକ ହେବ । ଗବେଷଣାରୁ ଜଣାପଡିଛି କି ଠିଆହୋଇ ରହିବା ଫଳରେ ରକ୍ତରେ ଶର୍କରାର ସ୍ତର କମିଯାଏ । ହୃଦ୍ରୋଗ ଆଶଙ୍କା ମଧ୍ୟ ହ୍ରାସ ପାଏ । ଏଥିସହିତ ଦିନକୁ ୩ ଘଣ୍ଟା ଠିଆ ହେଉଥିବା ଲୋକମାନେ ଅନ୍ୟମାନଙ୍କ ଅପେକ୍ଷା କମ୍ ଚାପ ଓ ଦୁର୍ବଳ ଅନୁଭବ କରିଥାନ୍ତି ।
ଆମେରିକା ଗବେଷକଙ୍କ କହିବାନୁସାରେ ଲମ୍ବା ସମୟ ଧରି ବସିରହିବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଓ ସ୍ମରଣଶକ୍ତି ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ । କିନ୍ତୁ ଠିଆହୋଇ ରହିବା ଫଳରେ ନ୍ୟୁରଲ ଏଜିଂ ସହ ଲଢ଼ିବାକୁ ଶକ୍ତି ମିଳିଥାଏ । ଅଧିକ ସମୟ ଗତିହୀନ ଭାବେ ବସିରହିବା ଫଳରେ ମସ୍ତିଷ୍କରେ ସ୍ମରଣଶକ୍ତି ଥିବା କ୍ଷେତ୍ର ମେଡିୟଲ ଟେମ୍ପୋରଲ ଲୋବ ବିଗିଡିବାର ଆଶଙ୍କା ରହିଛି ।
କେବଳ ଏତିକି ନୁହେଁ ଲମ୍ବା ସମୟ ବସିରହିବା ଫଳରେ ଶରୀରର ସବୁ ଅଂଶକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ନାହିଁ । ମସ୍ତିଷ୍କକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇ ନପାରିବା ଫଳରେ କୋଷିକାକୁ ଅମ୍ଳଜାନ ଓ ଅନ୍ୟ ପୋଷକ ତତ୍ତ୍ୱ କମିଯାଏ । କିନ୍ତୁ ଗୋଟିଏ ସ୍ଥାନରେ ବିନା ଚଳପ୍ରଚଳରେ ଲମ୍ବା ସମୟ ପର୍ୟ୍ୟନ୍ତ ବସିରହିବା ଫଳରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ପ୍ରଭାବିତ ହୁଏ । ଏହାର ପ୍ରଭାବ ଆମର ଗୋଡ ଉପରେ ମଧ୍ୟ ପଡେ । ଏପରିକି ଗୋଡ ଅଚଳ ହୋଇଯିବାର ଆଶଙ୍କା ମଧ୍ୟ ରହିଛି । ଉଭୟ ମସ୍ତିଷ୍କ ଓ ଶରୀରକୁ ସୁସ୍ଥ ରଖିବାକୁ ହେଲେ ପ୍ରତି ଅଧ ଘଣ୍ଟାରେ ଥରେ ଅତିକମ୍ରେ ୨ ମିନିଟ୍ ଉଠି ଏପଟସେପଟ ହୋଇ ଚାଲିବା ଉଚିତ । ଏଭଳି କରିବା ଫଳରେ ମସ୍ତିଷ୍କକୁ ଓ ଶରୀରର ବିଭିନ୍ନ ଅଂଶକୁ ଠିକ୍ ଭାବେ ରକ୍ତ ସଂଚାଳନ ହୋଇପାରେ ବୋଲି ଅଧ୍ୟୟନରୁ ଜଣାପଡିଛି ।