ସମ୍ବଲପୁର,୧୩.୦୪.୨୦୨୩ (ଏନଏନଏସ ଓଡ଼ିଆ) : ସମ୍ଵଲପୁରରେ ହନୁମାନ ଜୟନ୍ତୀ ବାଇକ୍ ରାଲି ଚାଲିଥିବାବେଳେ ହିଂସାକାଣ୍ଡକୁ ନେଇ ବନ୍ଦ ଡାକରା ଦେଇଛି ଜୟନ୍ତୀ ସମନ୍ଵୟ ସମିତି । ଗୁରୁବାର ଦିନ ୩ ଟାରୁ ଆସନ୍ତା ୩୬ ଘଣ୍ଟା ଧରି ସହରରେ ଦୋକାନ, ବଜାର ବନ୍ଦ ରଖିବାକୁ ଆହ୍ଵାନ ଦିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସମିତି ସଭାପତି ଡ.ରାଜକୁମାର ବଡ଼ପଣ୍ଡା ।
ଏପଟେ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ସମ୍ବଲପୁର ଜିଲ୍ଲା ବିଜେପି । ବିଜେପି ଜିଲ୍ଲା ସଭାପତି ଗିରିଶ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି । ହନୁମାନ ସମନ୍ଵୟ ସମିତି ପରେ ବିଜେପି ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି ଜିଲ୍ଲା ପ୍ରଶାସନକୁ ଘେରିଛି । ଘଟଣା ପଛରେ ଥିବା ଅସାମାଜିକ ତତ୍ତ୍ଵଙ୍କୁ ସରକାର ପ୍ରୋତ୍ସାହିତ କରୁଥିବା ବିଜେପି ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ଗତକାଲି ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଇଁ ବାଇକ ରାଲି ଶୋଭାଯାତ୍ରା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଧନୁପାଲି ଛକରୁ ରାଲି ଗଲା ବେଳେ ଦୁଇଗୋଷ୍ଠୀ ଭିତରେ ଗଣ୍ଡଗୋଳ ହୋଇଥିଲା। ଏହାକୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ପୁଲିସ ଉପରେ ଉତ୍ତ୍ୟକ୍ତ ଲୋକମାନେ ପଥର ମାଡ଼ କରିଥିଲେ। ଏହାସହ ଉତ୍ତ୍ୟକ୍ତ ଲୋକେ ଦୋକାନ ଜାଳିବା ସହ କାର୍, ବାଇକ ଜାଳି ଦେଇଥିଲେ।ପଥମାଡରେ ଅତିରିକ୍ତ ଏସ୍ ପି ଓ ଧନୁପାଲି ଆଇଆଇସିଙ୍କ ସମେତ ୧୦ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ଏହି ଘଟଣାରେ ପୁଲିସ ୨୫ରୁ ଅଧିକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି । କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଘଟିବା ପାଇଁ ଘଟଣାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡାଇବା ଲାଗି ଜିଲ୍ଲା ସ୍କୁଲ ଛକରେ ପୁଲିସ ପକ୍ଷରୁ ମୃଦୁ ଲାଠି ମାଡ଼ କରାଯାଇଛି। ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି ହୋଇଛି ।