ଭୁବନେଶ୍ୱର,୧୨.୦୪.୨୦୨୩ (ଏନଏନଏସ ଓଡ଼ିଆ) : ବୀର ସାଭରକରଙ୍କ ମୃତ୍ୟୁକୁ ୫୭ ବର୍ଷ ବିତିଲାଣି, ତଥାପି ତାଙ୍କୁ ନେଇ ଚାଲିଛି ପ୍ରତ୍ୟେକ ସମୟରେ କିଛି ନା କିଛି ଚର୍ଚ୍ଚା । ଏହି ଚର୍ଚ୍ଚା ମଧ୍ୟରେ ରହିଛି ବୀର ସାଭରକରଙ୍କ କ୍ଷମା ଭିକ୍ଷା । ଏହି ତଥା କଥିତ କ୍ଷମାଭିକ୍ଷା ଘଟଣା ବି ଶହେ ବର୍ଷ ପୁରୁଣା । କୁହାଯାଉଛି ବୀର ସାଭରକର କୁଆଡ଼େ ତାଙ୍କର ଦେଶଦ୍ରୋହ ସଜ୍ଜା କମାଇବା ପାଇଁ ଇଂରେଜମାନଙ୍କ ନିକଟରେ ପତ୍ର ମାଧ୍ୟମରେ କ୍ଷମା ପ୍ରାର୍ଥନା କରିଥିଲେ । କିନ୍ତୁ କ’ଣ ପାଇଁ ତାଙ୍କ ଉପରେ ଭରସି ପାରିଲେନି ଇଂରେଜମାନେ । ଜେଲ୍ରେ ଥିବାବେଳେ ସେ ଲେଖିଥିବା ଦୟା ପତ୍ରରେ କଣ ଲେଖାଥିଲା । କାହିଁକି ତାଙ୍କୁ ନିଶାନା କରାଯାଇଥିଲା । ଏମିତି ଦେଖିବାକୁ ଗଲେ ସେ କୌଣସି ସାମ୍ବିଧାନିକ ପଦପଦବୀରେ ନଥିଲେ କି ତାଙ୍କ ପରିବାରର କେହି ରାଜନୀତି କରୁ ନଥିଲେ । ତାହାଲେ ସେ କେଉଁ କାରଣ ପାଇଁ କ୍ଷମା ମାଗିଥିଲେ ଓ ଏହାର କାରଣ କ’ଣ ଥିଲା । ବୀର ସାଭରକର କ୍ଷମା ଭିକ୍ଷା ଭଳି ଏକ ସମ୍ବେଦନଶୀଳ ଘଟଣାକୁ କାହିଁକି ଲୁଚାଇଥିଲେ ତାକୁ ନେଇ ଚାଲିଛି ଚର୍ଚ୍ଚା । ବାସ୍ତବରେ ଦେଖିବାକୁ ଗଲେ ସାଭରକରଙ୍କ ପ୍ରକୃତ ଦୋଷ କ’ଣ ଥିଲା, ଯେଉଁଥିପାଇଁ ତାଙ୍କୁ ଇଂରେଜମାନଙ୍କ ପାଖରେ କ୍ଷମା ମାଗିବାକୁ ପଡ଼ିଲା ।
ଏଠାରେ ସୂଚାଇଦିଆଯାଇ ପାରେ କି, ପ୍ରତ୍ୟେକ ସମୟରେ ରାଜନୈତିକ ପରିସ୍ଥିତି ଉପରେ କ୍ଷମା ଭିକ୍ଷାର ଗୁରୁତ୍ୱ ଅନେକ ରହିଆସିଛି । ବୀର ସାଭରକର ଥିଲେ ସେ ସମୟର ଜଣେ ଏମିତି କ୍ରାନ୍ତକାରୀ ବୀର, ଯିଏକି ଇଂରେଜମାନଙ୍କୁ ଦେଶରୁ ତଡ଼ିବା ପାଇଁ ବହୁକ କଳକୌଶଳ ଆପଣାଇଥିଲେ । ବହୁତ କମ୍ ବୟସରେ ସେ ଇଂରେଜମାନଙ୍କୁ ବିରୋଧ କରି ସ୍ୱତନ୍ତ୍ର କ୍ରାନ୍ତୀ ଦର୍ଶନ ନାମକ ପୁସ୍ତକ ରଚନା କରିବା ସହ ସଭାସମିତି କରି ଏହି ପୁସ୍ତକକୁ ବାଂଟି ଲୋକମାନଙ୍କୁ ଇଂରେଜମାନଙ୍କ ବିରୁଦ୍ଧରେ ଉସ୍କେଇବାରେ ସହାୟକ ହୋଇପାରିଥିଲେ । ସଶସ୍ତ୍ର କ୍ରାନ୍ତୀର ଏହି ଦର୍ଶନ ପୁସ୍ତକ ଲେଖା ସାରା ଖେଳିଯିବା ସହ କ୍ରାନ୍ତିକାରୀଙ୍କ ପାଇଁ ପାଲଟିଥିଲା ମୁକ୍ତିର ପଥ । ସାଭରକରଙ୍କ ଏହିଦେଶ ବିରୋଧୀ କାମକୁ ଇଂରେଜମାନେ ଆତଙ୍କବାଦ ଓ ଅରାଜକତା ବ୍ୟାପ୍ତ କରାଇବାର ବୈକଳ୍ପିକ ଭାବେ ବିବେଚନା କରିବା ସହିତ ଏହା ଏକପ୍ରକାରର ରାଜଦ୍ରୋହ ବୋଲି ବିବେଚନା କରିଥିଲେ । ଏହି କାରଣରୁ ତାଙ୍କୁ ଦୁଇଥର ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ତେବେ ଇଂରେଜମାନେ ଚାହିଁଲେବି ସେତେବେଳେ ସାଭରକରଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିପାରି ନଥିଲେ, କାରଣ ସାଭରକର ଥିଲେ ଫ୍ରାନ୍ସର ବନ୍ଦୀ । ସେ ମାର୍ସିଲ ନାମକ ଏକ ବନ୍ଦରକୁ ଲମ୍ଫ ପ୍ରଦାନ କରି ଇଂରେଜମାନଙ୍କ ପାଇଁ ଅନ୍ତରାଷ୍ଟ୍ରୀୟ ସମସ୍ୟା ସୃଷ୍ଟି କରିଥିବା କାରଣରୁ ଫ୍ରାନ୍ସ ସରକାର ବ୍ରିଟିଶ ସରକାରଙ୍କୁ ବୀର ସାଭରକରଙ୍କୁ ତାଙ୍କୁ ସମର୍ପଣ କରିବାକୁ ଦାବି କରିଥିଲେ । ସାଭରକର ହସ୍ତାନ୍ତରଣ ପରେ ଇଂଟରନ୍ୟାସନାଲ ଆର୍ବିଟ୍ରେସନରେ ଫ୍ରାନ୍ସ ଦ୍ୱାରା ବ୍ରିଟେନ ବିରୁଦ୍ଧରେ ଯାଚିକା ଦାୟର କରାଯାଇଥିଲା ।ୂଫ୍ରାନ୍ସର ଏହି ବ୍ରିଟିଶ ବିରୋଧି ଭୂମିକାକୁ ଜର୍ମାନୀ , ଇଟାଲୀ, ସୁଇଜରଲାଣ୍ଡ ,ବେଲଜିୟମ୍ ଓ ଚେକୋସ୍ଲୋଭାକିଆ ଭଳି ୟୁରୋପୀୟ ଦେଶଗୁଡ଼ିକ ସମର୍ଥନ କରିଥିଲେ । ଇଂଲଣ୍ଡ ତଥା ୟୁରୋପରେ ସାଭରକରଙ୍କ ମୁକ୍ତି ପାଇଁ ଗାୟ ଡି ,ଲ୍ଡେଡ୍ ଭଳି ଇଂରେଜ ଯୁବ ସାମ୍ବାଦିକ ତଥା ଲେଖକ ଙ୍କ ନେତୃୃତ୍ୱରେ ଏକ ଆନ୍ଦୋଳନ ମୁଣ୍ଡ ଟେକିଲା ଯାହାକି ଇଂଲଣ୍ଡରୁ ନେଇ ଆମେରିକା ପର୍ଯ୍ୟନ୍ତ ବ୍ୟାପିଯାଇଥିଲା ଏହି ଆନ୍ଦୋଳନର ପ୍ରଭାବ । କୁହାଯାଏ ମାତ୍ର ୨୭ ବର୍ଷ ବୟସରଙ୍କ ସାଭରକର ପୁରା ୟୁରୋପ ଓ ଆମେରିକାରେ ଭାରତର ଜୋସେଫ ମେଜିନି, ଗୈରୀ ବାଲ୍ଡି ରୂପରେ ପରିଚିତ ହୋଇଯାଇଥିଲେ । ଏହି ସବୁ କାରଣରୁ ଇଂରେଜମାନେ ସାଭରକରଙ୍କୁ ମୃତୁ୍ୟଦଣ୍ଡ ଭଳି କଠିନ ପଦକ୍ଷେପ ନେଇପାରିନଥିଲେ ।
ସାଭରକରଙ୍କ ମାଫିନାମା ବା କ୍ଷମାଭିକ୍ଷାକୁ ନେଇ କୁହାଯାଏକି ଜେଲରେ ଥିବାବେଳେ ସାଭରକର କୁଆଡ଼େ ଇଂରେଜମାନଙ୍କୁ ୧୧ଟି ଦୟାପତ୍ର ଲେଖିଥିଲେ । ଦୟାପତ୍ର କେବଳ ଆଜୀବନ କାରାବାସ ଭୋଗ କରୁଥିବା କୈଦୀମାନେ ହିଁ ସୁବିଧା ଲାଭ କରିପାରିଥାନ୍ତି । ଏହି ୧୧ଟି ପତ୍ରମଧ୍ୟରୁ ପ୍ରଥମ ପତ୍ରକୁ ସେ ଡୋଗରୀ ଜେଲ୍ରେ ଥିବାବେଳେ ଲେଖିଥିଲେ । ଆଣ୍ଡାମାନ ଜେଲ୍ରେ ସେ ପ୍ରଥମ ଦୟାପତ୍ରକୁ ୩୦ ଅଗଷ୍ଟ ୧୯୧୧ରେ ଲେଖିଥିବାବେଳେ ଶେଷ ଦୟାପତ୍ର ୬ଏପ୍ରିଲ, ୧୯୨୦ ମସିହାରେ ଲେଖିଥିଲେ । ଆଣ୍ଡାମାନ ଜେଲରେ ତାଙ୍କୁ ୩୫୮୦ ଦିନ କୈଦୀ ଭାବେ ରହିବାକୁ ପଡ଼ିଥିଲା । ସାଭରକରଙ୍କୁ ତାଙ୍କର କାରାବାସ ବେଳେ ଏତେ ନିର୍ଯାତନା ଦିଆଯାଇଥିଲାଯେ ଯାହା ଅକଳ୍ପନୀୟ । ଗାନ୍ଧୀ, ନେହରୁ ବା ଭଗତସିଂ ପାଇଥିବା ସୁବିଧା ସୁଯୋଗ ତାଙ୍କୁ ଦିଆଯାଇନଥିଲା । ତାଙ୍କୁ ସର୍ବଦା ମାନସିକ ଓ ଶାରୀରିକ ଭାବେ ନିର୍ଯାତନା ମିଳୁଥିଲା । ପେଶାରେ ସାଭରକର ଯେହେତୁ ଜଣେ ଓକିଲ ଥିଲେ, ତାଙ୍କୁ ବ୍ରିଟିଶ ଆଇନକାନୁନ ସବୁ ମାଲୁମ ଥିଲା । ଏଥିପାଇଁ ଆଇନଗତ ଭାବେ ଇଂରେଜମାନେ ତାଙ୍କୁ ବେଶିକିଛି ହଇରାଣ କରିପାରୁନଥିଲେ ।
କେହି କେହି କୁହନ୍ତି ଯେ, ସାଭରକର ଜଣେ କଠୋରପନ୍ଥୀ ଦେଶଭକ୍ତ ଥିଲେ । ମାତ୍ର ଆଣ୍ଡାମାନ ଜେଲରେ ଥିବବେଳେ ତାଙ୍କ ଉପରେ କରାଯାଉଥିବା ଅତ୍ୟାଚାରକୁ ନେଇ ସେ କ୍ଷମାଭିକ୍ଷା କରିଥାଇପାରନ୍ତି । ତାଙ୍କୁ ଯେତେବେଳେ ମାତ୍ର ୨୭ ବର୍ଷ ବୟସ, ମିଳିଥିଲା ୫୦ ବର୍ଷର ଆଜୀବନ କାରାବାସ, ଅର୍ଥାତ ତାଙ୍କର କାରାଦଣ୍ଡ ଶେଷ ବେଳକୁ ସେ ହୋଇଯାଇଥିବେ ୭୭-୭୮ ବର୍ଷ ବୟସର ।ଏହି ଘଟଣାକୁ ଭାବି ହୁଏତ ତାଙ୍କର ମନୋବଳ ଭାଙ୍ଗି ପଡ଼ିଥିବ, ଯେଉଁଥିପାଇଁ ସେ କ୍ଷମାଭିକ୍ଷା ଇଂରେଜମାନଙ୍କ ନିକଟରେ କରିଥାଇ ପାରନ୍ତି ବୋଲି କେହି କେହି କୁହନ୍ତି । ମାତ୍ର ଜଣେ ଇଂରେଜ ଅଧିକାରୀଙ୍କର ରିପୋର୍ଟରୁ ଜଣାପଡ଼ିଛିଯେ ସାଭରକର କେବେବି ତାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ବିଚଳିତ ନଥିଲେ । ୧୯୧୯ରେ ଚିଫ୍ କମିଶନର ମାରିସନ୍ ସାଭରକରଙ୍କ ଉପରେ ଲେଖିଥିଲେ- ସେ ବାବାରାଓକୁ ଜାଣିନାହାନ୍ତି, କିନ୍ତୁ ସେ କହିବେନିଯେ ବାବାରାଓ ଙ୍କୁ ଦିଆଯାଉଥିବା ଦଣ୍ଡରେ ସେ ଭାଙ୍ଗି ପଡ଼ିଛନ୍ତି । ଅର୍ଥାତ ବିନାୟକ ସାଭରକର ଭାଙ୍ଗି ପଡ଼ିଛନ୍ତି ବା ତାଙ୍କୁ ଦିଆଯାଉଥିବା ଦଣ୍ଡଯୋଗୁ ଥକିଯାଇଛନ୍ତି ଏଭଳି କୁହାଯାଇପାରିବନି । ଏଭଳି ଅନେକ ଲୋକ ତାଙ୍କୁ କ୍ଷମାଭିକ୍ଷାକୁ ନେଇ ଭିନ୍ନ ଭିନ୍ନ ମତ ଦେଇଥିବାବେଳେ ବାସ୍ତବରେ ବିନାୟକ ସାଭରକରଙ୍କ ଭଳି ଜଣେ ଦୃଢମନା ଦେଶଭକ୍ତ କେବେ ବି କ୍ଷମା ଯାଚନା କରିଥିବା କଥାଟି ଅବିଶ୍ୱାସଯୋଗ୍ୟ ।