ମାଥିଲି,୧୦.୦୪.୨୦୨୩ (ଏନଏନଏସ ଓଡ଼ିଆ) : ମାଓବାଦୀ ଅଧ୍ୟୁଷିତ ଦୁର୍ଗମ ଅଂଚଳରେ ପ୍ରଥମ ଥର ପାଇଁ ପାଦ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ ଓ ଜନପ୍ରତିନିଧି ଦଳ । ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ପାହାଡି ଇଲାକା ତୁଳସୀ ଗାଁରେ ସ୍ୱାସ୍ଥ୍ୟ ବିଭାଗର ଟିମ ସହ ଜନପ୍ରତିନିଧି ଦଳ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଛନ୍ତି । ଦୀର୍ଘ ୧୪କିଲୋମିଟର ପାହାଡିଆ ରାସ୍ତା ଚଢି ତୁଳସୀପୁର ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ସହ ସ୍ୱାସ୍ଥ୍ୟସେବା ଯୋଗାଇଛନ୍ତି ।
ଗାଁର ଆବାଳ ବୃଦ୍ଧ ବନିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗରେ ପୀଡିତଙ୍କୁ ମାଗଣା ଔଷଧ ବଣ୍ଟନ କରାଯାଇଛି । ମାଥିଲି ସବଡିଭିଜନ ମେଡିକାଲର ଭାରପ୍ରାପ୍ତ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅମୀୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ପାହାଡ ଚଢି ତୁଳସୀପୁର ଗାଁରେ ପହଞ୍ଚିଥିଲେ । ଏହି ଟିମରେ ଥିଲେ ମାଥିଲି ଜୋନ-୧ର ଜିଲ୍ଲା ପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ, ଟେମୃପାଲି ସରପଞ୍ଚଙ୍କ ସହ ଡାକ୍ତରୀ ଦଳ । ଜିଲ୍ଲାପରିଷଦ ସଭ୍ୟା ଲକ୍ଷ୍ମୀପ୍ରିୟା ନାୟକ ଲୋକଙ୍କୁ ଭେଟି ଶୀଘ୍ର ତୁଳସୀଗାଁ ବିକାଶ ଦେଖିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।