ଭୁବନେଶ୍ୱର,୦୮.୦୪.୨୦୨୩ (ଏନଏନଏସ ଓଡ଼ିଆ) : ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ସରକାରୀ ହିସାବରେ ୧୨ହଜାର ଟପିଥିବାବେଳେ ରାଜ୍ୟ ସରକାର ଅଧିକ ସଂଖ୍ୟାରେ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠାର ଯୋଜନା କରୁଛନ୍ତି । ନିଶାମୁକ୍ତି ପାଇଁ କାର୍ଯ୍ୟକାରୀ ହେଉଥିବା ‘ଦିଶା’ ଯୋଜନାରେ ଏହିସବୁ କେନ୍ଦ୍ର ପ୍ରତିଷ୍ଠା ହେବ ।
ସରକାରୀ ସୂଚନା ଅନୁଯାୟୀ ୨୦୨୨-୨୩ରେ ନିଶାଡିଙ୍କ ସଂଖ୍ୟା ୧୨,୨୭୫ରେ ପହଞ୍ଚିଛି । ଏମାନେ ମୁଖ୍ୟତଃ ମଦ, ଗଞ୍ଜେଇ, ଅଫିିମ, ବ୍ରାଉନସୁଗାର, ଚରସ ଆଦି ସେବନ କରନ୍ତି । ୨୦୧୭-୧୮ରେ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା ୯୩୬୬ ଥିବାବେଳେ ବର୍ଷକୁ ବର୍ଷ ଏହା ବୃଦ୍ଧି ପାଇ ୨୦୨୧-୨୨ରେ ୧୫ହଜାର ଅତିକ୍ରମ କରିଥିଲା । ତେବେ ଗତ ଆର୍ଥିକ ବର୍ଷରେ ଏମାନଙ୍କ ସଂଖ୍ୟାରେ କିଛିଟା ହ୍ରାସ ଘଟିଛି ।
ସେହଭଳି ନିଶା ନିବାରଣ ନିମନ୍ତେ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଥାନ୍ତି । ୨୦୧୮-୧୯ ବର୍ଷରେ କେନ୍ଦ୍ର ସରକାର ୧.୩୫ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ୨୦୧୯-୨୦ରେ ଏ ବାବଦରେ ୨.୨ କୋଟି ଟଙ୍କା ଯୋଗାଇଛନ୍ତି । ଏହା ପରଠାରୁ ୨୦୨୨-୨୩ ପର୍ଯ୍ୟନ୍ତ କେନ୍ଦ୍ରରୁ ଆଉ ଏ ବାବଦରେ ଅର୍ଥ ମିଳିନାହିଁ ।
ତେବେ ରାଜ୍ୟର ୨୯ଟି ଜିଲ୍ଲାରେ ୪୧ଟି ନିଶାମୁକ୍ତ କେନ୍ଦ୍ର ଥିବାବେଳେ ଏହା କେନ୍ଦ୍ର ସରକାରଙ୍କ ଅନୁଦାନରେ ପରିଚାଳିତ ହେଉଛି । ପ୍ରତ୍ୟେକ ନିଶା ନିବାରଣ କେନ୍ଦ୍ରରେ ୧୫ଟି ଶଯ୍ୟାର ବ୍ୟବସ୍ଥା ରହିଛି । ସେହିଭଳି ରାଜ୍ୟ ସରକାର ‘ଦିଶା’ ଯୋଜନା ମାଧ୍ୟମରେ ନିଶାମୁକ୍ତି କାର୍ଯ୍ୟକ୍ରମ ପରିଚାଳନା କରୁଚନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ରାଜ୍ୟରେ ଅଧିକ ନିଶା ନିବାରଣ କେନ୍ଦ୍ର ପ୍ରତିଷ୍ଠା କରାଯିବା ପାଇଁ ପଦକ୍ଷେପ ନିଆଯାଉଥିବା ଜଣାଯାଇଛି ।
ତେବେ ନିଶାନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ କହିବାକଥା ଯେ ସରକାର ନିଶାଡିଙ୍କ ସଂଖ୍ୟା ଯେତିକି ଦେଖାଉଛନ୍ତି ବାସ୍ତବ ସଂଖ୍ୟା ତାହାଠାରୁ ଢେର ଅଧିକ । ଯେଉଁ ନିଶାଡିମାନେ ଡାକ୍ତରଖାନାକୁ ଚିକିତ୍ସିତ ହେବାକୁ ଆସୁଛନ୍ତି ସେମାନଙ୍କ ତାଲିକା ସରକାରୀ ଖାତାରେ ରହୁଛି । ଏମାନଙ୍କ ମଧ୍ୟରୁ କେତେକ ନିଶାମୁକ୍ତ କେନ୍ଦ୍ରରେ ରହୁଥିଲାବେଳେ ସଂଖ୍ୟାଧିକ ନିଶାଡି ଏଠାକୁ ଆସିବାକୁ ରାଜି ନୁହନ୍ତି । ଏହାଛଡା ନିକଟ ଅତୀତରେ ନିଶାମୁକ୍ତ କେନ୍ଦ୍ରରେ ନିଶାଡିଙ୍କ ନିଶା ଛଡାଇବା ନାଁରେ ସେମାନଙ୍କୁ ମାରପିଟ୍ କରାଯିବା ଓ ଏଥିରେ କିଛି ନିଶାଡିଙ୍କ ମୃତ୍ୟୁ ଘଟିବାପରେ ନିଶା ନିବାରଣ କେନ୍ଦ୍ରର ପରିଚାଳନା ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।
ରାଜ୍ୟରେ ଅବକାରୀ ଚଢଉରୁ ଯେଉଁ ପରିମାଣରେ ବ୍ରାଉନସୁଗାର, ଚରସ, ଗଞ୍ଜେଇ ଓ ମଦ ଆଦି ଜବତ ହେଉଛି ସେଥିରୁ ରାଜ୍ୟରେ ନିଶାଡିଙ୍କ ସଂଖ୍ୟା କିଭଳି ବୃଦ୍ଧି ପାଉଛି ତାହା ସହଜରେ ଅନୁମେୟ । ତେଣୁ ଅଧିକ ନିଶାମୁକ୍ତ କେନ୍ଦ୍ର ପ୍ରତିଷ୍ଠା ବଦଳରେ ନିଶା କାରବାର କିଭଳି ମୂଳୋତ୍ପାଟନ ହୋଇପାରିବ ସରକାର ସେ ଦିଗରେ ପଦକ୍ଷେପ ନେବାକୁ ଏହି ସ୍ୱେଚ୍ଛାସେବୀମାନେ ଦାବି କରୁଛନ୍ତି ।