ଭୁବନେଶ୍ୱର,୦୬.୦୪.୨୦୨୩ (ଏନଏନଏସ ଓଡ଼ିଆ) : ହାପି ହରମୋନ ବା ସୁଖୀ ହରମୋନ୍ ପ୍ରତ୍ୟେକ ମଣିଷର ଶରୀରରେ ରହିବା ନିତ୍ୟାନ୍ତ ଆବଶ୍ୟକ । ନଚେତ ମଣିଷ ଡ଼ିପ୍ରେସନରେ ଯାଇପାରେ । ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନଶୈଳୀ ଯୋଗୁ ଅନେକଙ୍କ ଠାରେ ଷ୍ଟ୍ରେସ ହରମୋନ୍ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ମାନସିକ ଚାପ, ଅବସାଦ ଆଦି ଲକ୍ଷଣ ଦେଖାଦେଉଛି । ପ୍ରତିଦିନ ଆମ ଦେହରେ ଅନେକ ହରମୋନ ବା ଅନ୍ତଃସ୍ରାବୀ ରସ ଝରିଥାଏ । ସବୁ ହରମୋନ୍ ସନ୍ତୁଳନ ରକ୍ଷାକରି ଶରୀର ଭିତରେ ନିଜ ନିଜ କାମ କରିଥାନ୍ତି । କିନ୍ତୁ ଯଦି ହରମୋନର ଭାଗମାପ ଅସନ୍ତୁଳନ ସୃଷ୍ଟି ହୁଏ, ତେବେ ମଣିଷ ରୋଗାକ୍ରାନ୍ତ ହୋଇଯାଏ । କିଛି ହରମୋନ ଏପରି ଅଛି ଯାହା ବଢ଼ିଗଲେ ଶରୀରରେ ମାନସିକ ଚାପ ସୃଷ୍ଟି ହୋଇଥାଏ, ଏହାକୁ ‘ଷ୍ଟ୍ରେସ ହରମୋନ୍’ କୁହନ୍ତି । ଆଜିକାଲି ଚାକିରି ହେଉ ବା କାର୍ଯ୍ୟ କ୍ଷେତ୍ର କି ଘରେ ବୈବାହିକ ତଥା ପାରିବାରିକ ଜୀବନରେ ଚାପଗ୍ରସ୍ତ ରହିବା କାରଣରୁ ଅନେକ ମହିଳାଙ୍କ ଶରୀରରେ କ୍ରମେ କ୍ରମେ ଷ୍ଟ୍ରେସ ହରମୋନର ପରିମାଣ ବଢ଼ି ସୁଖୀ ହରମୋନର ପରିମାଣ ଶରୀରରୁ କମୁଥିବା ଦେଖିବାକୁ ମିଳୁଛି । ଏହି ସୁଖୀ ହରମୋନ୍ ମସ୍ତିଷ୍କରୁ ଝରିଲେ ମନ ଖୁସି ହୋଇଯାଏ ।
ନିମ୍ନରୁ ଜାଣନ୍ତୁ ଆମ ଦେହରେ କେତେପ୍ରକାର ସୁଖୀ ହରମୋନ୍ ଅଛି ଏବଂ ସେମାନେ କିପରି ମଣିଷକୁ ଖୁସି ଓ ସନ୍ତୁଷ୍ଟ ରଖିବାରେ ସାହାଯ୍ୟ କରୁଛନ୍ତି
ସୁଖୀ ହରମୋନ୍ ମୁଖ୍ୟତଃ ପାଞ୍ଚ ପ୍ରକାରର:
୧-ଡୋପାମିନ୍: ଏହା ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିଥାଏ ଏବଂ ମସ୍ତିଷ୍କର ପାରିତୋର୍ଷିକ ଯନ୍ତ୍ର କ୍ରିୟା ସହିତ ସଂଲଗ୍ନ ଥାଏ । ନିଜ ସାଧନାକୁ ସ୍ୱୀକୃତି ମିଳିଲେ ବା ନିଜ ଲକ୍ଷ୍ୟ ହାସଲ ହେଲେ ସଙ୍ଗେ ସଙ୍ଗେ ପ୍ରାକୃତିକ ଉପାୟରେ ମସ୍ତିଷ୍କରେ ଡୋପାମିନ୍ ବା ‘ହାପି ହରମୋନ୍’ର ପରିମାଣ ବଢ଼ିଯାଏ । ଏହାଛଡ଼ା ନିଜ ଜୀବନର ପ୍ରତ୍ୟେକ ମୁହୂର୍ତ୍ତର ସୁଖମୟ ଅନୁଭବ ଓ ମୁହୂର୍ତ୍ତ କଥା ଭାବିଲାମାତ୍ରେ ଏହି ନିଉରୋଟ୍ରାନ୍ସମିଟରର ମାତ୍ରା ବଢ଼ିଯାଏ ।
ହାପି ହରମୋନ୍ ବଢ଼ାଇବାର ଉପାୟ: ଆମ ଜୀବନରେ କେତେକ ସୁଖମୟ ଓ ସ୍ୱାସ୍ଥ୍ୟପ୍ରଦ କାର୍ଯ୍ୟକ୍ରମ କରିବା ଦ୍ୱାରା ସକାରାତ୍ମକ ମନୋଭାବ ସୃଷ୍ଟି ହୋଇ ଜୀବନ ଉପରେ ଭଲ ପ୍ରଭାବ ପକାଇଥାଏ ଏବଂ ହାପି ହରମୋନ୍ ବଢ଼ିଥାଏ । ବେଶୀ ସମୟ ସୂର୍ଯ୍ୟକିରଣରେ ଚାଲିଲେ ତଥା ଦିନବେଳା କାମ କଲେ ସୂର୍ଯ୍ୟ କିରଣର ଉଜ୍ଜ୍ୱଳତା ଓ ଉତ୍ତାପରୁ ଡୋପାମିନ୍ ପାଇଁ ସଂବେଦନଶୀଳତା ବଢ଼ିଥାଏ । ତା’ ଛଡା ଗଭୀର ନିଃଶ୍ୱାସ ପ୍ରଶ୍ୱାସ ନେବା ସହ ମେଡିଟେସନ ଓ ଯୋଗ କରିବା ସହ ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନେବା ଦ୍ୱାରା ଏହାର ହାପି ହରମୋନ୍ ବଢ଼ିଥାଏ । ସେହିପରି ଏହାକୁ ବଢ଼ାଇବା ଲାଗି ଅଧିକ ପରିମାଣରେ ଚିନାବାଦାମ୍, ଛେନା ଓ ବିନ୍ ଖାଇବା ଭଲ ।
୨. ସିରୋଟୋନିନ୍: ଏହି ହରମୋନ ଗୁଡିକ ମାନସିକ ଅବସାଦ ଦୂର କରିବାରେ ସାହାଯ୍ୟ କରିଥାଏ, କାରଣ ମସ୍ତିଷ୍କରେ ସିରୋଟୋନିନର ପରିମାଣ କମିଗଲେ ମଣିଷ ମାନସିକ ଅବସାଦରେ ବୁଡିଯାଏ ।
ମସ୍ତିଷ୍କରେ ସିରୋଟୋନିନ୍ ପରିମାଣ ବଢ଼ିଗଲେ ନିଦ ହୋଇଯାଏ ।
ଏହି ହରମୋନ ବଢ଼ାଇବାର ଉପାୟ : ଦୈନିକ ଯୋଗ, ବ୍ୟାୟାମ, ଖେଳକୁଦ କରନ୍ତୁ । ରାତିରେ ଶୋଇଲା ବେଳେ ବେଶୀ ପରିମାଣରେ ଟ୍ରିପ୍ଟୋଫାନ୍ ଥିବା ତଥା ଓମେଗା-୩ ଫ୍ୟାଟି ଏସିଡ୍ ଥିବା ଖାଦ୍ୟ ଖାଆନ୍ତୁ । ଏହାଛଡ଼ା ଶ୍ୱେତସାରଯୁକ୍ତ ଖାଦ୍ୟ ଖାଇଲେ ମଧ୍ୟ ସିରୋଟୋନିନର ପରିମାଣ ବଢ଼ିଯାଏ । ।
୩. ଅକ୍ସିଟୋସିନ୍: ଏହାକୁ ପ୍ରେମ ହରମୋନ୍ ମଧ୍ୟ କୁହାଯାଇଥାଏ, କାରଣ ଏହି ହରମୋନ୍ ବେଶୀ ଝରିଲେ ଭାବପ୍ରବଣତାର ବନ୍ଧନ ଓ ପରସ୍ପର ମଧ୍ୟରେ ଭଲପାଇବା ବଢ଼ିଯାଏ ।
କେମିତି ବଢ଼ାଇବେ ଏହି ହରମୋନ୍: ଯୋଗ ଏବଂ ହାଲୁକା ବ୍ୟାୟାମ କରନ୍ତୁ । ଆପଣ ଆପଣଙ୍କ ପରିବାରର ସଦସ୍ୟ ତଥା ନିଜ ସନ୍ତାନ ସନ୍ତତିଙ୍କ ସହ ଏକାଠି ଭୋଜନ କରନ୍ତୁ, କାରଣ ସମସ୍ତଙ୍କ ସହ ସୌଜନ୍ୟମୂଳକ କଥାବାର୍ତ୍ତା, ନିଜନିଜ ଭିତରେ ବନ୍ଧନ ଦୃଢ଼ କରିଥାଏ । ଅନ୍ତତଃ ସପ୍ତାହକୁ ଥରଟିଏ ସାରା ଶରୀରକୁ ମାଲିସ୍ କରନ୍ତୁ । ଉତ୍ତମ ହବି ରଖିବାର ରୁଚି ରଖନ୍ତୁ ତଥା ନିଜ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ପାଇଁ ସକାରାତ୍ମକ ମନୋଭାବ ପୋଷଣ କରନ୍ତୁ ।
୪. ଇଷ୍ଟ୍ରୋଜେନ୍: ଏହି ସୁଖୀ ହରମୋନ୍ ସିରୋଟୋନିନ୍ ତିଆରି କରିବାରେ ସାହାଯ୍ୟ କରେ ଏବଂ ମଣିଷକୁ ଚିଡ଼ିଚିଡାଭାବ, ମାନସିକ ଦୁଶ୍ଚିନ୍ତା ଓ ଉଦବେଗରୁ ରକ୍ଷାକରି ମନରେ ସ୍ଥିରତା ଆଣିଥାଏ ।ମାସିକ ଋତୁସ୍ରାବର ବିରତି ପରେ ଇଷ୍ଟ୍ରୋଜେନ୍ କମ୍ ହୋଇଯାଏ । ଧୂମପାନ ଓ ମଦ୍ୟପାନ କଲେ ମଧ୍ୟ ସିରୋଟୋନିନର ପରିମାଣ କମିଯାଏ ।
ତେବେ ମେନୋପଜ ପରେ ଏହାକୁ ବଢାଇବାର ସହଜ ଓ ସରଳ ଉପାୟ ହେଉଛି ଯୋଗ, ମେଡିଟେସନ ତଥା ଉଷୁମ ଜଳରେ ସ୍ନାନ କରିବା ।
୫. ପ୍ରୋଜେଷ୍ଟୋରେନ୍: ଏହି ହରମୋନ୍ ମାନସିକ ଉଦବେଗ କମାଇଦିଏ, ସେଥିପାଇଁ ରାତିରେ ଭଲ ନିଦ ହୋଇଥାଏ । ବେଳେବେଳେ ଏହା ଚିଡିଚିଡାପଣ ଓ ମୁଡସ୍ୱିଙ୍ଗ ମଧ୍ୟ ବଢ଼ାଇଦିଏ ।