ଭୁବନେଶ୍ୱର,୦୬.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପ୍ରତି ମାସର ତୃତୀୟ ସପ୍ତାହରେ ସଚିବ ଓ ବରିଷ୍ଠ ଅଧିକାରୀମାନେ ରାଜଧାନୀ ଛାଡ଼ି ଗାଁକୁ ଯିବେ । ଗାଁ ଗାଁ ବୁଲିବେ, ବିଭିନ୍ନ ସରକାରୀ ଯୋଜନାର କାର୍ୟ୍ୟକାରିତା ପରଖିବେ । ଲୋକଙ୍କ ସହ ମିଶିବେ, ସମସ୍ୟା ବୁଝିବେ । ଖାଲି ସେତିକି ନୁହେଁ, ଉପାନ୍ତ ଅଞ୍ଚଳରେ ରାତ୍ରି ରହଣୀ କରି ସେଠାକାର ଲୋକଙ୍କ ବାସ୍ତବ ସ୍ଥିତିକୁ ଅନୁଭବ କରିବେ ।ଏହି ମର୍ମରେ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସଚିବ, ସ୍ୱତନ୍ତ୍ର ସଚିବମାନଙ୍କୁ ଚିଠି ଲେଖିଛନ୍ତି ଉନ୍ନୟନ କମିଶନର ଅନୁ ଗର୍ଗ । ଏହି ଚିଠିରେ ସ୍ପଷ୍ଟ ଭାବେ କୁହାଯାଇଛି, ପ୍ରତି ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦିଆଯାଇଥାଉ କିମ୍ବା ନ ଦିଆଯାଇଥାଉ, ସଭିଙ୍କୁ ମାସର ତୃତୀୟ ସପ୍ତାହରେ ବିଭିନ୍ନ ଜିଲ୍ଲାକୁ ଯିବାକୁ ହେବ । ଜିଲ୍ଲାର ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ କିଭଳି ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚୁଛି, କେଉଁଠି କି ସମସ୍ୟା ଅଛି, ସେସବୁ ବୁଝିବାକୁ ହେବ । ଏଥିରେ କୁହାଯାଇଛି, ରାଜ୍ୟ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ସେବା, ଜଳସେଚନ, କୃଷି, ଦକ୍ଷତା ବିକାଶ, ନିବେଶ ଓ ଭିତ୍ତିଭୂମି ଆଦି କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି । ସାମଗ୍ରିକ ବିକାଶ ପାଇଁ ଅନେକ ଯୋଜନା ହାତକୁ ନିଆଯାଇଛି । ମହିଳା, ଯୁବଗୋଷ୍ଠୀ, ଅନୁସୂଚିତ ଜାତି ଓ ଜନଜାଜତି, ପଛୁଆ ବର୍ଗ, ସଂଖ୍ୟାଲଘୁ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ଓ ସଶକ୍ତିକରଣ ପାଇଁ ବ୍ୟାପକ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି । ଏସବୁ ଯୋଜନା ଓ କାର୍ୟର୍୍ୟକ୍ରମର ସଫଳତା କ୍ଷେତ୍ର ସ୍ତରରେ କିଭଳି ରହିଛି, ତାହାର ସମୀକ୍ଷା ଦରକାର ।
ସେଥିପାଇଁ ପ୍ରତି ବରିଷ୍ଠ ଅଧିକାରୀଙ୍କୁ କ୍ଷେତ୍ରସ୍ଥଳକୁ ଯିବାକୁ ହେବ । ଏଭଳି କରିବା ଦ୍ୱାରା ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚିବା ସହ ଲୋକଙ୍କ ସହ ସୁସମ୍ପର୍କ ଯୋଡ଼ି ହେବ । ଲୋକଙ୍କଠାରୁ ସିଧାସଳଖ ମତାମତ ମିଳିପାରିବ । କେଉଁ ଯୋଜନା କାର୍ୟ୍ୟକାରୀରେ କ’ଣ ସମସ୍ୟା ବା ପ୍ରତିବନ୍ଧକ ଅଛି, ତାହା ସିଧା ଲୋକଙ୍କ ମୁହଁରୁ ଜାଣି ହେବ । ଏହି ଗସ୍ତ ପାଇଁ ପ୍ରତି ମାସର ତୃତୀୟ ସପ୍ତାହରେ କୌଣସି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ ଲୋକସେବା ଭବନରେ ନ ରଖିବାକୁ ପରାମର୍ଶ ଦିଆଯାଇଛି । ନିହାତି ଜରୁରୀ ସ୍ଥିତି ଥିଲେ ମୁଖ୍ୟ ଶାସନ ସଚିବଙ୍କ ନିଷ୍ପତ୍ତି କ୍ରମେ ବୈଠକ ଡକାଯିବ । ଏହାକୁ ଦୃଷ୍ଟିରେ ରଖି ଚଳିତ ମାସ ତୃତୀୟ ସପ୍ତାହରେ ଗସ୍ତ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି ।