ବେଙ୍ଗାଲୁରୁ,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ହେବାପରେ ରାଜନୈତିକ ଦଳଗୁଡ଼ିକ ନିଜ ନିଜର ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଇତିମଧ୍ୟରେ ଅସଦୁଦ୍ଦିନ ଓୱେସୀଙ୍କ ଏଆଇଏମ୍ଆଇଏମ୍ ଆଗାମୀ ନିର୍ବାଚନରେ ୨୫ ଆସନରେ ପ୍ରାର୍ଥୀ ଦେବା ପାଇଁ ମନ ବଳାଇଛି । ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଉସ୍ମାନ୍ ଗନୀ ଏହି ସୂଚନା ଦେଇଛନ୍ତି । ସେହିପରି ତାଙ୍କ ପାର୍ଟି ଆଗାମୀ ନିର୍ବାଚନରେ ଜନତା ଦଳ ୟୁନାଇଟେଡ୍ (ଜେଡିଏସ୍) ସହିତ ମେଣ୍ଟ କରିବା ଉପରେ ବିଚାର କରୁଛି ବୋଲି ମଧ୍ୟ ସେ କହିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା କିଛି ସ୍ଥିର ହୋଇନାହିଁ । ସେହିପରି ଏଆଇଏମ୍ଆଇଏମ୍ ତିନିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛି ବୋଲି ପାର୍ଟି ପ୍ରମୁଖ ଅସଦୁଦ୍ଦିନ୍ ଓୱେସୀ କହିଛନ୍ତି ।
ସୂଚନାଯୋଗ୍ୟ ୨୦୧୮ ରାଜ୍ୟ ବିଧାନସଭା ନିର୍ବାଚନରେ ଜଡିଏସ୍କୁ ସମର୍ଥନ କରଥିବା ଏଆଇଏମ୍ଆଇଏମ୍ କୌଣସି ପ୍ରାର୍ଥୀ ଦେଇନଥିଲା। ଅନ୍ୟପକ୍ଷରେ ରାଜ୍ୟର ଜଣେ ପୂର୍ବତନ କଂଗ୍ରେସ ବିଧାୟକ ନନ୍ଦୀହଲ୍ଲୀ ହଲପ୍ପା ଏବଂ ଜଣେ ପ୍ରସିଦ୍ଧ ଚକ୍ଷୁରୋଗ ବିଶେଷଜ୍ଞ ଡା. ଆପ୍ପାଜୀ ଗୋଡ଼ା ମଙ୍ଗଳବାର ବିଜେପିରେ ସାମିଲ ହୋଇଛନ୍ତି । ଗୌଡ଼ା କନକପୁରାରେ କଂଗ୍ରେସ ପ୍ରଦେଶାଧ୍ୟକ୍ଷ ଡିକେ ଶିବକୁମାରଙ୍କ ବିରୋଧରେ ଲଢ଼ିବା ପାଇଁ ଟିକେଟ୍ ଆଶାୟୀ ଅଛନ୍ତି । ଅନ୍ୟପକ୍ଷରେ କଂଗ୍ରେସରୁ ନିଜ ରାଜନୈତିକ କ୍ୟାରିୟର୍ ଆରମ୍ଭ କରିଥିବା ହଲପ୍ପା ହଦଗଲୀ ଆସନରୁ ବିଜେପି ଟିକେଟ୍ରେ ଲଢ଼ିବାକୁ ଇଚ୍ଛୁକ ଅଛନ୍ତି ।