ଭୁବନେଶ୍ୱର,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତିରୁ ପ୍ୟାଣ୍ଟ କୋର୍ଟ ହଟାଇ ଅନୁଗୁଳ ପୌର ପାଳିକା ଧୋତି ପଞ୍ଜାବୀ ପିନ୍ଧାଇଲା ପରେବି ପୁଣି ବିବାଦ ଦେଖିବାକୁ ମିଳିଛି । ନବବାବୁ ଆଣ୍ଠୁ ଲୁଚୁ ନ ଥିବା ଧୋତି ପିନ୍ଧୁଥିଲା ବେଳେ ଏବେ ତାଙ୍କୁ ପାଦ ପର୍ଯ୍ୟନ୍ତ ଧୋତି ପିନ୍ଧାଇ ଦିଆଯାଇଛି। ଓଡ଼ିଆମାନେ ଏମିତି ଧୋତି ପିନ୍ଧୁ ନ ଥିବାରୁ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ନବପ୍ରେମୀ । ଖୋଦ୍ ନବବାବୁଙ୍କ ଝିଅ କ୍ରିଷ୍ଣା ମହାନ୍ତି ଏହାକୁ ଅତି ଅଶୋଭନୀୟ କହିବା ସହ କାହିଁକି ପୌରପାଳିକା ନବବାବୁଙ୍କୁ ବାରମ୍ବାର ଅପାମାନିତ କରୁଛି ବୋଲି ପ୍ରଶ୍ନ କରିଛନ୍ତି ।
ଏହାକୁ ନେଇ ବିଭିନ୍ନ ମହଲରୁ ପ୍ରତିବାଦର ସ୍ବର ଉଠିବା ପରେ ପୌରପାଳିକା ପକ୍ଷରୁ ଏଥିରେ ପରିବର୍ତ୍ତନ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ନବବାବୁଙ୍କୁ ଧୋତି ପିନ୍ଧାଇ ଫଟୋ ଛଡ଼ାଯାଇଛି । ଏହି ଫଟୋ ଦେଖିବା ପରେ ବିବାଦ ଆହୁରି ତେଜିଛି । କାରଣ ଧୋତିଟି ନବବାବୁଙ୍କ ପାଦ ପର୍ଯ୍ୟନ୍ତ ପଡ଼ିଛି । ଏପରିକି ପାଦ ବି ଅଧା ଘୋଡ଼େଇ ହୋଇ ରହିଛି । ଓଡ଼ିଶାର ଲୋକମାନେ ଏମିତି ଧୋତି ପିନ୍ଧୁ ନ ଥିଲାବେଳେ ପୌରପାଳିକା ଏହି ଧୋତି କେଉଁଠୁ ପାଇଲା ବୋଲି ନବପ୍ରେମୀ ପ୍ରଶ୍ନ କରିଛନ୍ତି । ନବବାବୁଙ୍କ ବିଭିନ୍ନ ଫଟୋରେ ସେ ଯେମିତି ଧୋତି ପିନ୍ଧୁଥିଲେ ଏହି ପ୍ରତିମୂର୍ତ୍ତି ମେଳ ଖାଉନି ।