ଭୁବନେଶ୍ୱର,୦୫.୦୪.୨୦୨୩ (ଏନଏନଏସ ଓଡ଼ିଆ) : 2024 ନିର୍ବାଚନ ଲଢ଼େଇ ପାଇଁ ଏବେଠାରୁ ସବୁ ଦଳଙ୍କ ମଧ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ନିକଟରେ ଏକ ଇଂରାଜୀ ଦୈନିକ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ରଖିଥିବା ମନ୍ତବ୍ୟ, ଏବଂ ସମ୍ବଲପୁର ଓ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରରେ ତାଙ୍କ ପତ୍ନୀ ମୃଦଳା ଠାକୁରଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ଯଦି ଦେଖାଯାଏ ,ତେବେ ମନ ଭିତରେ ପ୍ରଶ୍ନ ଆସୁଛି ତେବେ କଣ ସମ୍ବଲପୁର ଲୋକସଭା ଆସନରୁ ଲଢ଼ିବେ କି ଧର୍ମେନ୍ଦ୍ର? କାରଣ ହେଲା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବେ ନିୟମିତ ବ୍ୟବଧାନରେ ସମ୍ବଲପୁର ଜିଲ୍ଲାକୁ ଗସ୍ତ କରୁଛନ୍ତି । ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ସମ୍ବଲପୁର ଜିଲ୍ଳାର ଖିଣ୍ଡା ଗାଁକୁ ଯିବା, ସମ୍ବଲପୁର ସହରର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ତାଙ୍କ ପତ୍ନୀ ମୃଦୁଳା ଠାକୁର ସମ୍ବଲପୁର ଲୋକସଭା କ୍ଷେତ୍ରରେ ମେଗା ସ୍ୱାସ୍ଥ୍ୟ ଶିବିର କରିବା କଉଠି ନ କଉଠି ସୂଚାଉଛି ଆଗାମୀ ଲୋକସଭା ଲଢେଇରେ ଧର୍ମେନ୍ଦ୍ର ଲଢ଼ିପାରନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ରରେ ଆସୁଥିବା ୭ଟି ଆସନ ମଧ୍ୟରୁ ୩ଟି ଆସନ ବିଜେପି ହାତରେ ଥିବା ବେଳେ ବିଜେଡି ହାତରେ ରହିଛି ୪ଟି ଆସନ । ଆଉ ଏହି ୭ଟି ଆସନରୁ ୪ଟି ସମ୍ବଲପୁର ଜିଲ୍ଲାର ହୋଇଥିବା ବେଳେ ଗୋଟିଏ ଦେବଗଡ଼ ଏବଂ ୨ଟି ଅନୁଗୁଳ ଜିଲ୍ଲାରୁ ଆସିଛି । ଛେଣ୍ଡିପଦା ଓ ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଧର୍ମେନ୍ଦ୍ରଙ୍କ ପତ୍ନୀ ବିଭିନ୍ନ କାର୍ଯ୍ୟକ୍ରମ କରି ଆସୁଛନ୍ତି । ସେହିପରି ସମ୍ବଲପୁରରୁ ସାଂସଦ ଥିବା ନିତେଶ ଗଙ୍ଗଦେବ ବିଭିନ୍ନ କାରଣରୁ ବିବାଦରେ ଅଛନ୍ତି । ତେଣୁ ସମ୍ବଲପୁର ପାଇଁ ବଡ଼ ଚେହେରା ଖୋଜୁଛି ଭାରତୀୟ ଜନତା ପାର୍ଟି ।
ଲୋକସଭା କ୍ଷେତ୍ରର ସୀମା ନିର୍ଦ୍ଧାରଣ ହେବା ପୂର୍ବରୁ ଦେବଗଡ଼ ଲୋକସଭା ଆସନରୁ ଥରେ ବିଜୟୀ ହୋଇଥିଲେ ଧର୍ମେନ୍ଦ୍ର । ଏବେ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ଥିବାରୁ ପ୍ରତ୍ୟକ୍ଷ ନିର୍ବାଚନରେ ଜିତି ଜାତୀୟ ରାଜନୀତିରେ ନିଜର ପତିଆରା ବୃଦ୍ଧି ପାଇଁ ଚେଷ୍ଟା କରିପାରନ୍ତି ବୋଲି ଚର୍ଚା ହେଉଛି ।