ଗଞ୍ଜାମ(ଏନ୍ଏନ୍ଏସ୍): ପାରିବାରିକ କଳହର କରୁଣ ପରିଣତି । ସ୍ୱାମୀ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଲା ସ୍ତ୍ରୀ । ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ଗାଁର ଏ ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଛି । ଗାଁର ପ୍ରଫୁଲ୍ଲ କୁମାର ସାବତଙ୍କ ଦେହର ତାଙ୍କ ପତ୍ନୀ ପ୍ରମିତା ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ତେବେ ପ୍ରଫୁଲ୍ଲ ସାବତ ଜଣେ ଅବସରପ୍ରାପ୍ତ ବନକର୍ମଚାରୀ । ତାଙ୍କ ପ୍ରଥମ ପତ୍ନୀଙ୍କ ଦେହାନ୍ତ ପରେ ସେ ପ୍ରମିତାଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହର କିଛି ବର୍ଷ ଭଲରେ ଚାଲିଥିବା ବେଳେ ଧୀରେଧୀରେ ପାରିବାରିକ କଳହ ଆରମ୍ଭ ହୋଇଥିଲା ।
ତେବେ ଗତକାଲି ରାତିରେ ମଧ୍ୟ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବଚସା ଲାଗିବାରୁ ଆଜି ସକାଳୁ ଦୁହିଁଙ୍କର କଥା କଟାକଟି ହୋଇଥିଲା । ପରେ ପ୍ରଫଲ୍ଲ ଘର ବାଡିପଟେ ବସିଥିବା ବେଳେ ପ୍ରମତା ପ୍ରଫୁଲ୍ଲଙ୍କ ଦେହରେ କିରୋସିନ ଢ଼ାଲି ନିଆଁ ଲଗାଇ ଦେଇଥିଲେ । ଫଳରେ ପ୍ରଫୁଲ୍ଲ ବଡ ପାଟିରେ ଚିତ୍କାର କରିବାରୁ ପାଖ ପଡୋଶୀ ନିଆଁକୁ ଲିଭାଇଥିଲେ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ପ୍ରଫୁଲ୍ଲଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି । ତାଙ୍କର ଶରୀରର ୫୦ ପ୍ରତିଶତରୁ ଅଧିକ ଅଂଶ ପୋଡି ଯାଇଥିବା ସୂଚନା ମିଳିଛି ।
ଅପରପକ୍ଷରେ ସ୍ଥାନୀୟ ପୋଲିସ ପ୍ରଫୁଲ୍ଲଙ୍କ ପତ୍ନୀ ପ୍ରମିତାକୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ତେବେ ପତ୍ନୀ ନିଜ ପତିଙ୍କ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେବା ଘଟଣା ଭଞ୍ଜନଗର ଅଞ୍ଚଳରେ ପ୍ରଥମ ହୋଇଥିବାରୁ ଏହାକୁ ନେଇ ଏବେ ସବୁଠି ଭିନ୍ନଭିନ୍ନ ଚର୍ଚ୍ଚା ଲାଗି ରହିଛି।