ଆମ ଦେଶରେ ଅନେକ ତୀର୍ଥକ୍ଷେତ୍ର ରହିଛି । ଏହିସବୁ ତୀର୍ଥସ୍ଥାନ ମଧ୍ୟରୁ କିଛି ଓଡ଼ିଶାରେ ଆଉ କିଛି ଓଡ଼ିଶା ବାହାରେ ଅବସ୍ଥିତ । ଏହିସବୁ ତୀର୍ଥକ୍ଷେତ୍ର ପଛରେ କିଛି ନା କିଛି ରହସ୍ୟ ଲୁଚି ରହିଥାଏ । ସେହିଭଳି ବୃନ୍ଦାବନରେ ଅନେକ ମନମୁଗ୍ଧକର ଏବଂ ରହସ୍ୟମୟ ସ୍ଥାନ ରହିଛି । ସେଥିମଧ୍ୟରୁ ବୃନ୍ଦାବନରେ ଅବସ୍ଥିତ ନିଧିବନ ପଛରେ ଅନେକ ରହସ୍ୟ ଲୁଚି ରହିଛି । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହା ପଛର ରହସ୍ୟ ।
ଧାର୍ମିକ ନଗରୀ ବୃନ୍ଦାବନରେ ନିଧିବନ ଅତ୍ୟନ୍ତ ପବିତ୍ର ଏବଂ ରହସ୍ୟମୟୀ ସ୍ଥାନ । ମାନ୍ୟତା ରହିଛି ନିଧିବନରେ ଭଗବାନ ଶ୍ରୀକୃଷ୍ଣ ଏବଂ ରାଧାରାଣୀ ଆଜି ବି ଅର୍ଦ୍ଧରାତ୍ରରେ ରାସ କରିଥାନ୍ତି। ଖାଲି ସେତିକି ନୁହେଁ ରାଧା-କୃଷ୍ଣ ରାସ କରିବା ପରେ ନିଧିବନ ପରିସରରେ ଥିବା ରଙ୍ଗ ମହଲରେ ଶୟନ କରିଥାନ୍ତି । ଏନେଇ ଆଜି ବି ରଙ୍ଗ ମହଲରେ ମହାପ୍ରଭୁଙ୍କ ପାଇଁ ମାଖନ-ମିଶ୍ରି ଭୋଗ ପ୍ରତିଦିନ ରଖାଯାଉଛି । ସେହିଭଳି ମହାପ୍ରଭୁଙ୍କ ଶୟନ ପାଇଁ ମଧ୍ୟ ପଲଙ୍କ ବିଛାଯାଇଥାଏ । ପରଦିନ ସକାଳୁ ଦେଖିବା ପରେ ଅନୁଭବ ହୁଏ ସତେ ଯେପରି କେହି ଏଠାରେ ରାତ୍ରିରେ ବିଶ୍ରାମ କରିବାକୁ ଆସିଥିଲେ । ଖାଲି ସେତିକି ନୁହେଁ ଏଠାରେ ଥିବା ୧୬ହଜାର ବୃକ୍ଷଗୁଡିକ ମଧ୍ୟ ପରସ୍ପର ସହ ଯୋଡି ହୋଇ ରହିଥିବାର ଦେଖିବାକୂ ମିଳିଥାଏ । ଏହି ବୃକ୍ଷମାନେ ହିଁ ମଧ୍ୟରାତ୍ରରେ ରାଣୀ ହୋଇ ଶ୍ରୀକୃଷ୍ଣଙ୍କ ସହ ରାସ କରିଥାନ୍ତି ।
ନିଧିବନରେ ରାଧା-କୃଷ୍ଣଙ୍କ ରାସ ସ୍ଥଳ ବ୍ୟତୀତ ଅନେକ ରହସ୍ୟମୟ ସ୍ଥାନ ରହିଛି । ସେଥିମଧ୍ୟରୁ ସଂଗୀତ ସମ୍ରାଟ ଶ୍ରୀ ସ୍ୱାମୀ ହରିଦାସଙ୍କ ସମାଧୀ, ରଙ୍ଗ ମହଲ,ବାଙ୍କେ ବିହାରୀଙ୍କ ପ୍ରକଟ ସ୍ଥଳ, ରାଧାରାଣୀ ବଂଶୀ ଚୋର ଆଦି ଦର୍ଶନୀୟ ସ୍ଥାନ ରହିଛି । ସବୁଠାରୁ ଗୁରତ୍ୱପୂର୍ଣ୍ଣ କଥା ହେଉଛି ଏଠାରେ ମଧ୍ୟରାତ୍ରରେ ଶ୍ରୀକୃଷ୍ଣ ରାସ କରୁଥିବାର ଦୃଶ୍ୟ ଯଦି କୌଣସି ବ୍ୟକ୍ତି ଦେଖନ୍ତି ତେବେ ସେ ଅନ୍ଧ, ଗୁଙ୍ଗା ଏବଂ ପାଗଳ ହୋଇଯାନ୍ତି । ଏହି କାରଣରୁ ରାତି ୮ଟା ପରେ ଏଠାରୁ ଭକ୍ତ, ପୂଜାରୀ, ପରିସରରେ ଦେଖାଯାଉଥିବା ମାଙ୍କଡ଼ ଏବଂ ପଶୁ-ପକ୍ଷୀ ସମସ୍ତେ ଚାଲିଯାଇଥାନ୍ତି । ଏହାପରେ ପରିସରର ମୁଖ୍ୟ ଦ୍ୱାରରେ ତାଲା ଲଗାଯାଇଥାଏ । ଏହାପରେ ପ୍ରତିଦିନ ସକାଳ ୫,୩୦ଟାରେ ଦ୍ୱାର ଖୋଲା ଯାଇଥାଏ ।