ଭୁବନେଶ୍ୱର,୦୪.୦୪.୨୦୨୩ (ଏନଏନଏସ ଓଡ଼ିଆ) : ରାତିରେ ପର୍ଯ୍ୟାପ୍ତ ନିଦ୍ରା ମଣିଷକୁ ସୁସ୍ଥ ରଖେ । ହେଲେ ଏହି ନିଦ ଅସମୟରେ ଆସିଲେ ସାଜେ ଚିନ୍ତାର କାରଣ । ଠିକ୍ ଯେମିତି କେବେ କେବେ ପଢ଼ିବା ଲାଗି ବହି ଖୋଲି ବସିଲେ ଆପେ ଆପେ ବୁଜି ହୋଇ ପଡେ଼ ଆଖି, ଆଉ ଏଥିପାଇଁ ବ୍ୟାହତ ହୁଏ ପାଠ ପଢ଼ା । ଏମିତିରେ କେତେକ ଉପାୟ ନିଦ ଦୂର କରିବାରେ ବେଶ୍ ସାହାଯ୍ୟ କରେ ।
ଜାଣନ୍ତୁ ଏହାର କାରଣ ଓ ନିରାକରଣ ସମ୍ପର୍କରେ…
ଶୋଇବା ସମୟ ସ୍ଥିର କରନ୍ତୁ: ପଢ଼ିବାବେଳେ ନିଦ ଆସିବା ସମସ୍ୟା ସାଧାରଣତଃ ପିଲାଠୁ ବୃଦ୍ଧ ପ୍ରାୟ ସଭିଙ୍କଠାରେ ଦେଖାଦିଏ । ପଢ଼ାବହି, ଗପବହିଠୁ ଆରମ୍ଭ କରି ଖବରକାଗଜ ଓ ମାଗାଜିନ୍ ଆଦି ପଢ଼ିବାବେଳେ ଶରୀର ଏବଂ ମନ ସ୍ଥିର ରହୁଥିବାରୁ ଅନେକଙ୍କ ଆଖିକୁ ନିଦଆସେ । ନିଦ୍ରାହୀନତା ଭୋଗୁଥିବା ରୋଗୀକୁ ନିଦ ଆସିବା ଲାଗି ରିଡିଂ ଥେରାପି ଦିଆଯାଇଥାଏ । ତେବେ ପରୀକ୍ଷା ବେଳେ ଅଧିକାଂଶ ଛାତ୍ରୀଛାତ୍ର ରାତି ଅନିଦ୍ରା ହେବା କିମ୍ବା ଆବଶ୍ୟକତାଠାରୁ ଖୁବ୍ କମ୍ ଶୋଉଥିବାରୁ ପଢ଼ିବା ଲାଗି ଗୋଟିଏ ସ୍ଥାନରେ ସ୍ଥିର ହୋଇ ବସିବାମାତ୍ରେ ନିଦ ଆସିଥାଏ । ଫଳରେ ପାଠ ଭଲ ଭାବେ ମନେ ରହି ନଥାଏ । ତେଣୁ ଏପରି ନ ହେବା ଲାଗି ପଢ଼ିବା ସହିତ ମସ୍ତିଷ୍କକୁ ଆରାମ ଦେବା ଲାଗି ଶୋଇବା ପାଇଁ ମଧ୍ୟ ସମୟ ବାହାର କରନ୍ତୁ ।
ସ୍ଥାନ ପରିବର୍ତ୍ତନ କରନ୍ତୁ: ଦୀର୍ଘ ସମୟ ଗୋଟିଏ ସ୍ଥାନରେ ବସି ପଢ଼ିବା ଦ୍ୱାରା ମସ୍ତିଷ୍କ ଏବଂ ଆଖିର ମାଂସପେଶୀ ଥକିଯାଏ ଓ ନିଦ ଆସେ । ହେଲେ ପଢ଼ିବାବେଳେ ବାରମ୍ବାର ନିଦ ଆସିଲେ ସ୍ମରଣ ଶକ୍ତି ପ୍ରଭାବିତ ହୋଇପାରେ । ତା’ଛଡ଼ା ଆଖିରେ ମଧ୍ୟ ଚାପ ପଡ଼ିଥାଏ । ତେଣୁ ନିଦ ଆସିବାମାତ୍ରେ କିଛି ସମୟ ଉଠିଯାଆନ୍ତୁ ଏବଂ ୫-୧୦ ମିନିଟ୍ ଚାଲନ୍ତୁ । ପାଣି ପିଇଲେ ଏବଂ କିଛି ହାଲୁକା ଖାଦ୍ୟ ଖାଇଲେ ନିଦ ଛାଡ଼ିଯିବ ।
ଲେଖା ଅଭ୍ୟାସ ସବୁଠୁ ଭଲ: ପଢ଼ିବାବେଳେ ଅଧିକ ସମୟ ବସିବା ଦ୍ୱାରା ଶାରୀରିକ ପରିଶ୍ରମ ଆଦୌ ନ ଥାଏ, ତେଣୁ ମାଂସପେଶୀ କାର୍ଯ୍ୟ ନ କରୁଥିବାରୁ ନିଦ ଆସିଥାଏ । ଏପରି ନ ହେବା ଲାଗି ଉତ୍ତମ ଉପାୟ ହେଉଛି ଲେଖିବା । କେବଳ ନ ପଢ଼ି ଏକ ରଫ୍ ନୋଟରେ ଲେଖିବା ଦ୍ୱାରା ହାତର ମାଂସପେଶୀ ଚଳପ୍ରଚଳ ହେବା ଦ୍ୱାରା ନିଦ ଆସି ନ ଥାଏ । ତା’ଛଡ଼ା ପଢ଼ିବା ପରେ ଲେଖିବା ଦ୍ୱାରା ପାଠ ଶୀଘ୍ର ମନେରହିଥାଏ ।
ଠିକ୍ ରଖନ୍ତୁ ସିଟିଂ ପୋଜିଶନ: ଅନେକ ଛାତ୍ରୀଛାତ୍ର ଆରାମ ଲାଗିବା ପାଇଁ ବସିବା ବଦଳରେ ଖଟ, ସୋଫା ଆଦି ସ୍ଥାନରେ ଶୋଇ ରହି ପଢ଼ନ୍ତି । ଏହା ମଧ୍ୟ ନିଦ ଲାଗିବାର ଆଉ ଏକ ବଡ଼ କାରଣ । ତା’ଛଡ଼ା ଅଧିକ ସମୟ ପେଟମାଡ଼ି ଶୋଇ ପଢ଼ିବା ଦ୍ୱାରା ପେଟ, ଅଣ୍ଟା, ବେକ ଆଦିରେ ଚାପ ପଡ଼ି ଯନ୍ତ୍ରଣା ହୋଇପାରେ । ତେଣୁ ଏପରି ନ କରି ଚେୟାର ଟେବୁଲରେ ବସି ପଢ଼ନ୍ତୁ ।
ଲାଇଟ୍ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ: ନିଜ ପଢ଼ା ସ୍ଥାନ ଏପରି ବାଛନ୍ତୁ, ଯେଉଁଠାରେ ଦିନରେ ସୂର୍ଯ୍ୟାଲୋକ ଆସୁଥିବ କିମ୍ବା ଦିନ ଅବା ରାତିରେ ଭଲ ଲାଇଟ୍ ପଡ଼ୁଥିବ । ନଚେତ୍ ପଢ଼ାଘରେ ଲାଇଟ୍ ବ୍ୟବସ୍ଥା ଠିକ୍ ନ ରହିଲେ ବା ଅନ୍ଧାରିଆ ରହିଲେ ପଢ଼ିବା ବେଳେ ମଧ୍ୟ ନିଦ ଆସିଥାଏ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ତା’ଛଡ଼ା କମ୍ ଲାଇଟରେ ପଢ଼ିଲେ ଚାପ ପଡ଼ିବା ଯୋଗୁ ଚକ୍ଷୁ ସମସ୍ୟା ଉପୁଜିବାର ଆଶଙ୍କା ରହିଛି ।
ସବୁ ବିଷୟକୁ ଧ୍ୟାନ ଦିଅନ୍ତୁ: ଅନେକେ ଭାବନ୍ତି କଷ୍ଟ ଲାଗୁଥିବା ବିଷୟଗୁଡ଼ିକୁ ଅଧିକ ସମୟ ପଢ଼ିଲେ ମନେରହିବ । ଆଉ ସେଥିପାଇଁ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ବିଷୟକୁ ପଢ଼ନ୍ତି । ହେଲେ ଏହାଦ୍ୱାରା ନିଦ ଆସିଥାଏ । ତେଣୁ ଯେଉଁ ବିଷୟ ପଢ଼ିଲେ ନିଦ ଆସୁଛି ତା’କୁ ରାତି ବଦଳରେ ଦିନ କିମ୍ବା ସଂଧ୍ୟାରେ ପଢ଼ନ୍ତୁ ।
ଖାଇବା ପରେ ପରେ ପଢ଼ନ୍ତୁ ନାହିଁ: ଖାଇବା ପରେ ଖାଦ୍ୟ ହଜମ ହେବା ଲାଗି ପାକସ୍ଥଳୀ ଅମ୍ଳଜାନ ଆବଶ୍ୟକ କରେ । ତେଣୁ ଏ ସମୟରେ ପଢ଼ିଲେ ବାରମ୍ବାର ହାଇ ଆସିବା ସହ ନିଦ ଲାଗିଥାଏ । ତେଣୁ ଖାଇବା ପରେ ଶରୀରକୁ କିଛି ସମୟ ବିଶ୍ରାମ ଦିଅନ୍ତୁ, ଯେପରି ଖାଦ୍ୟ ଭଲ ଭାବେ ହଜମ ହୋଇଯିବ । ଏହା ପରେ ପଢ଼ିଲେ ନିଦ ଆସିବ ନାହିଁ ଏବଂ ପାଠ ଭଲ ମନେରହିବ ।