ଭଦ୍ରକ ,(ଏନଏନଏସ ଓଡ଼ିଆ/ ୦୩.୦୪): ମହଙ୍ଗା ପଡିଲା ସାମ୍ବାଦିକାଙ୍କ ସହ ଅନୈତିକ ସମ୍ପର୍କ । ସାମ୍ବାଦିକାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଜଣେ ମହିଳା ଏସଆଇଙ୍କୁ ଗିରଫ୍ କରିଛି । ଗିରଫ୍ ଅଭିଯୁକ୍ତ ହେଉଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଚୂଡାମଣୀ ସାମୂଦ୍ରିକ ଥାନାର ଏସଆଇ ତପସ୍ୱିନୀ ମହାପାତ୍ର । ଏହି ଘଟଣାଟି ସଂପ୍ରତି ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ସାଜିଛି । ଅଭିଯୁକ୍ତ ତପସ୍ୱିନୀ ଭଦ୍ରକ ଜିଲ୍ଲାର ଜନୈକା ମହିଳା ସାମ୍ବାଦିକଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ପରେ ବିବାହର ପ୍ରତିଶୃତି ଦେଇ ଅନୈତିକ ସମ୍ପର୍କ ରଖି ଆସୁଥିଲେ । ମାତ୍ର ବିବାହ ନ କରି ପ୍ରତାରଣା କରିବା ଯୋଗୁ ମହିଳା ସାମ୍ବାଦିକ ଜଣକ ଭଦ୍ରକ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ ।
ସୂଚନା ମୁତାବକ, ଉଭୟଙ୍କ ମଧ୍ୟରେ ୨୦୨୧ ରୁ ଗଢି ଉଠିଥିଲା ପ୍ରେମ ସମ୍ପର୍କ । ପରେ ବିବାହ କଥାକୁନେଇ ତିକ୍ତତା ଆରମ୍ଭ ହେବାରୁ ଥାନାରେ ମାମଲା ପହଞ୍ଚିଥିଲା । ଏସଆଇ ତପସ୍ୱିନୀ ଭଦ୍ରକ ପୁରୁଣାବଜାର ଥାନାରେ କାର୍ଯ୍ୟରତ ଥିବାବେଳେ ପୀଡିତାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଇତିମଧ୍ୟରେ ତପସ୍ୱିନୀଙ୍କ ବଦଳି ହୋଇଥିଲା ଚୂଡାମଣୀ ସାମୂଦ୍ରିକ ଥାନାକୁ । ବଦଳି ପରେ ଉଭୟଙ୍କ ମଧ୍ୟରେ ତିକ୍ତତା ଜୋର ଧରିବାରୁ ପ୍ରେମ ପ୍ରତିଶୋଧର ରୂପ ନେଇଛି । ପ୍ରତାରଣାର ଶିକାର ହୋଇ ସାମ୍ବାଦିକା ଜଣକ ତପସ୍ୱିନୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏହି ଖବର ରାଜ୍ୟ ପୋଲିସ ବିଭାଗର ମୁଖ୍ୟ ଡିଜିପି ଙ୍କ କାନକୁ ଯିବା ପରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଏ ଘଟଣାର ସତ୍ୟା ସତ୍ୟକୁ ଉନ୍ମୋଚନ କରିବା ପାଇଁ ଭଦ୍ରକ ଏସପିଙ୍କୁ ନିର୍ଦେଶ ଦେଇଛନ୍ତି । ଡିଜିପିଙ୍କ ନିର୍ଦେଶ କ୍ରମେ ଘଟଣା ସ୍ୱତନ୍ତ୍ର ତଦନ୍ତ ହେବା ପରେ ଅଭିଯୁକ୍ତ ପୋଲିସ ଏସଆଇ ତପସ୍ୱିନୀ ମହାପାତ୍ରଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି ପୋଲିସ ।