ବିଛଣାରେ ରୋଗିଣା ପୁଅ । ରୋଗୀ ପାଖରେ ରୋଗୀ ହୋଇ ବସିଛି ମାଆ । କାନ୍ଦି କାନ୍ଦି ଭଗବାନଙ୍କୁ କହୁଛି, ହେ ଭଗବାନ କ’ଣ ଏଇ ଦିନ ଦେଖିବା ପାଇଁ ମୁଁ ତୁମକୁ ପୁଅଟିଏ ମାଗିଥିଲି? କେତେ ଦିଅଁ ଦେବତା ପୂଜା କରି ପୁଅଟିଏ ପାଇଥିଲି ଯେ ଆଜି ତାକୁ ଔଷଧ ଟିକେ ଦେବାପାଇଁ ବି ମୋ ପାଖରେ ଅର୍ଥ ନାହିଁ । ଏମିତି ଭାବି ଭାବି ମାଆ ବାପା ଦୁଇଜଣଙ୍କର ପେଟର ଭୋକ ଆଉ ଆଖିର ନିଦ ହଜି ସାରିଲାଣି । ଏ ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ବେଣୀପଲ୍ଲି ଗାଁରେ । ପୁଅର କ୍ୟାନସର ଚିକିତ୍ସା ପାଇଁ ଏବେ ୟା ତା ଆଗରେ ହାତ ପତେଇ ସାହାଯ୍ୟ ମାଗୁଛନ୍ତି ବାପା ରବି ନାରାୟଣ ମାଆ ଗୀତାଞ୍ଜଳୀ । ତେବେ ଘଟଣା ଭିତରକୁ ଯିବା ପୂର୍ବରୁ ଶୁଣି ନିଅନ୍ତୁ କ’ଣ କହୁଛନ୍ତି ପୀଡିତଙ୍କ ବାପା……
ରବି ନାରାୟଣଙ୍କ ପୁଅ କିରଣ ମ୍ୟାଟ୍ରିକ ପରୀକ୍ଷା ପରେ ପ୍ଲସ ଟୁରେ ନାମ ଲେଖାଇଥିଲେ । କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା । ପ୍ରଥମେ ଟ୍ୟୁମର ଓ ପରେ କ୍ୟାନସର ଦୋହଲାଇ ଦେଇଛି ନିମ୍ନ ମଧ୍ୟବିତ ପରିବାରର ମେରୁଦଣ୍ଡ । ପୁଅର ପାଠ ପଢିବାକୁ ଭାରି ଇଚ୍ଛା ଥିବାରୁ ବାପା ନିଜ ସ୍ୱଳ୍ପ ରୋଜଗାରରେ ପୁଅକୁ ପାଠ ପଢାଉଥିଲେ । କିନ୍ତୁ ଏଇ ରୋଗଟା ପରିବାରର ସବୁ ସ୍ୱପ୍ନକୁ ଧୂଳିସାତ୍ କରିଦେଲା । ଡାକ୍ତରଙ୍କ କହିବା ମୁତାବକ, କିରଣର ଔଷଧ ବାବଦକୁ ମାସକୁ ଲକ୍ଷେ ଟଙ୍କା ଦରକାର । କିନ୍ତୁ ଜୀବନରେ କେବେ ଏକାଥରକେ ଲକ୍ଷେ ଟଙ୍କା ଦେଖବନଥିବା ଲୋକଟା ମାସକୁ ଲକ୍ଷେ ଟଙ୍କା ଆଣିବ ବା କେଉଁଠୁ । ଘରେ ଯାହା ବି ସମ୍ବଳ ଥିଲା ସବୁ କିଛି ବିକ୍ରି ସରିଲାଣି । ବନ୍ଧୁବାନ୍ଧବ ସାଙ୍ଗସାଥୀ ଆଉ କେହି ବି ବାକି ନାହାନ୍ତି । ଆଉ କେତେ ବା କାହାକୁ ମାଗିବେ । ଶେଷରେ ପୁଅକୁ ସରକାରଙ୍କ ଭରସାରେ ଟେକି ଦେଇଛନ୍ତି । ସରକାରଙ୍କ ତରଫରୁ କିଛି ସାହାଯ୍ୟ ମିଳିଲେ ପୁଅଟା ବଂଚିଯାଆନ୍ତା ବୋଲି ଗୁହାରୀ କରିଛନ୍ତି ବାପା ମାଆ ।
ପାଠ ପଢି ନିଜର ଭବିଷ୍ୟତ ଗଢିବା ବୟସରେ କିରଣ ଏବେ କ୍ୟାନସର ଭଳି ମାରାତ୍ମକ ରୋଗ ସହ ଲଢେଇ କରୁଛି । ତାର ଚିକିତ୍ସା ପାଇଁ କେବେ ସରକାର ଏବଂ ପ୍ରଶାସନ ସାହାଯ୍ୟର ହାତ ବଢାଉଛି ତାହା ଦେଖିବାକୁ ବାକି ରହିଲା ।
ବ୍ରହ୍ମପୁରରୁ ପ୍ରଦୀପ କୁମାର ସ୍ୱାଇଁଙ୍କ ରିପୋର୍ଟ ଏନଏନଏସ ଓଡିଆ ।