ଝାରସୁଗୁଡ଼ା ,(ଏନଏନଏସ ଓଡ଼ିଆ/ ୩୧.୦୩): ଆସନ୍ତା ମେ’ ୧୦ରେ ଅନୁଷ୍ଠିତ ହେବ ଝାରସୁଗୁଡ଼ା ଉପ ନିର୍ବାଚନ। ୧୩ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ନବ ଦାସଙ୍କ ମୃତ୍ୟୁ ପରେ ଏହି ଆସନ ଖାଲି ପଡ଼ିଛି । ଗତକାଲି ନିର୍ବାଚନ କମିଶନ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ନବ ଦାସଙ୍କ ଝିଅ ଦୀପାଳି ନିଜର ପ୍ରତିକ୍ରିୟା ରଖିଛନ୍ତି। ନବ ଦାସଙ୍କ ମୃତ୍ୟୁ ପରେ ଦୀପାଳି ଏବେ ଟିକେଟ ପାଇବା ଦୌଡ଼ରେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି। ସେ ବିଭିନ୍ନ ସ୍ଥାନରେ ସଭା କରିବା ସହ ଲୋକଙ୍କ ନିକଟତର ହେଉଛନ୍ତି। ତାଙ୍କର ପ୍ରାର୍ଥୀତ୍ୱ କୁ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାକୁ ଯିବାବେଳେ ସେ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ଝାରସୁଗୁଡ଼ାରେ ଯାହାକୁ ପ୍ରାର୍ଥୀ କରିବେ ତାଙ୍କୁ ନବ ଦାସଙ୍କ ପରିବାର ସମର୍ଥନ କରିବ ବୋଲି ସେ କହିଛନ୍ତି।
ଏହି ଅବସରରେ ଦୀପାଳି କହିଛନ୍ତି, “ଆଜିକୁ ଠିକ୍ ୨ ମାସ ତଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଠିକ୍ ଦୁଇ ମାସ ପରେ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହା ଆମ ସମସ୍ତଙ୍କ ପାଇଁ ବେଶ ଭାବପ୍ରବଣର ଦିନ। ଆମେ କେବେ ଭାବି ନଥିଲୁ ଯେ ବାପାଙ୍କ ଆସନରେ ଉପ ନିର୍ବାଚନ ହେବ। ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ପୂରା ଭରସା ଅଛି। ସେ ଯାହାକୁ ବି ନିର୍ଦ୍ଦେଶ ଦେବେ ବା ପ୍ରାର୍ଥୀ କରିବେ, ଆମ ପରିବାର ତାଙ୍କୁ ସମର୍ଥନ ଦେବ। ଜଣେ ବାପାଙ୍କ ଭଳି ମୁଖ୍ୟମନ୍ତ୍ରୀଙ୍କ ହାତ ଆମ ଉପରେ ସର୍ବଦା ରହିଛି। ଆମେ ଉପ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତ ରହିଛୁ। ତଥାପି ମୁଖ୍ୟମନ୍ତ୍ରୀ ଯାହା ବି ନିଷ୍ପତ୍ତି ନେବେ, ଆମେ ସେହି ଅନୁସାରେ ପ୍ରସ୍ତୁତ ହୋଇ ଲଢ଼ିବୁ। ମୁଁ, ମୋ ଭାଇ ଓ ମୋ ମା’ ସମସ୍ତେ ନବ ପରିବାର। ଆମ ପରିବାରରୁ ମୁଖ୍ୟମନ୍ତ୍ରୀ ଯାହାକୁ ବି ନିର୍ଦ୍ଦେଶ ଦେବେ, ଆମେ ସେହି ଅନୁସାରେ କାମ କରିବୁ। ଆମ ପରିବାର ଉପରେ ଝାରସୁଗୁଡ଼ାବାସୀଙ୍କ ପ୍ରେମ, ସ୍ନେହ ଓ ଆଶୀର୍ବାଦ ରହିଛି। ମୋ ବାପା ସବୁବେଳେ ଭଲ କାମ କରି ଆସିଥିଲେ। ସମସ୍ତଙ୍କର ଭଲ ପାଇବା ଓ ସେହ୍ନ ମୋ ପ୍ରତି ରହିଛି। ସମସ୍ତେ ମୋତେ ଝିଅ ଭଳି ଦେଖୁଛନ୍ତି। ମୋର ଆଶା ଯେ ସେମାନେ ବାପାଙ୍କୁ ଯେମିତି ପରିବାର ଭଳି ଦେଖୁଥିଲେ ଏବେ ଆମକୁ ମଧ୍ୟ ସେମିତି ସ୍ୱୀକାର କରିବେ। ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୯ ତାରିଖ ଦିନ ଝାରସୁଗୁଡା ବିଧାୟକ ତଥା ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲି ପଡ଼ିଥିଲା। ଏଥିପାଇଁ ଆଜି ତାରିଖ ଘୋଷଣା କରାଯାଇଛି। ଏହି ବିଧାନସଭା କ୍ଷେତ୍ରର ସମୁଦାୟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୦୭୩ ରହିଛି। ଏମାନଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୩୨୩ ଓ ମହିଳା ଭୋଟରଙ୍କ ସଂଖ୍ୟା ୧ ଲକ୍ଷ ୧୦ ହଜାର ୬୮୭। ଝାରସୁଗୁଡ଼ା ପୌର ପରିଷଦର ଭୋଟର ସଂଖ୍ୟା ୭୧୧୧୩, ଝାରସୁଗୁଡ଼ା ବ୍ଲକର ୩୮୫୪୬, କିର୍ମିରା ବ୍ଲକର ୩୩୯୦୧, କୋଲାବିରା ବ୍ଲକର ୩୭୮୧୦ ଓ ଲଇକେରା ବ୍ଲକର ଭୋଟର ସଂଖ୍ୟା ୩୯୭୦୩ ରହିଛି।