ଝାରସୁଗୁଡା ,(ଏନଏନଏସ ଓଡ଼ିଆ /୨୬.୦୩): ଝାରସୁଗୁଡା ଜିଲ୍ଲାରେ ପଶିଛନ୍ତି ହାତୀପଲ। ଝାରସୁଗୁଡା ଏବଂ ବ୍ରଜରାଜନଗର ବିଭିନ୍ନ ସ୍ଥାନରେ 12 ଟି ହାତୀଙ୍କୁ ଦେଖିବାକୁ ମିଳିଛି । ଲୋକେ ହାତୀକୁ ଦେଖି ଯେତେ ଉତ୍ସାହିତ ସେତେ ଭୟଭିତ।ହେମଗିର ଅଂଚଳରୁ ଶୁକ୍ରବାର ରାତିରେ ଦୁଇଟି ହାତୀ ପଲ ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ବନ ବିଭାଗ ତରଫରୁ ସୂଚନା ମିଳିଛି। ଗୋଟିଏ ହାତୀ ପଲ ରେ ଗୋଟିଏ ଦନ୍ତା , ତିନି ଟି ମାଈ ହାତୀ ଏବଂ ଦୁଇଟି ହାତୀ ଶାବକ ଥିବା ବନ ବିଭାଗ ସ୍ୱଷ୍ଟ କରିଛନ୍ତି ଏବଂ ଏପରି ଦୁଇଟି ହାତୀ ପଲ ଥିବା ଜଣା ପଡ଼ିଛି। ଶୁକ୍ରବାର ବିଳମ୍ବିତ ରାତି ମଧୁପୁର ଜଙ୍ଗଲରୁ ରାସ୍ତା ଅତିକ୍ରମ କରି ବ୍ରଜରାଜନଗର ଭିତରକୁ ପଶିଥିଲେ ହାତୀ ପଲ। ବ୍ରଜରାଜନଗର ଅଂଚଳର ମଣ୍ଡଳିଆ, ଗାନ୍ଧିଛକ ଦେଇ ଭୋର ଟାରେ ରେମଜା ଗାଁ ରୁ ଇବନଦୀ ପାର ହୋଇ ଦେଇ ନଦୀ ସେପାଖ କୁ ଚାଲିଯାଇଥିଲେ । ଗତରାତି ରେ ଜମେରା, କାତିକେଲା, ମଙ୍ଗଲବଜାର ମୁଙ୍ଗା ପଡ଼ା ପଟେ ବୁଲୁଥିବା ଦେଖିବାକୁ ମିଳିଛି। ହାତୀ ପଲ କୁ ବନ ବିଭାଗ ତରଫରୁ ଟ୍ରେସ କରାଯାଉଛି ଏବଂ ତାଙ୍କ ଗତିପଥ ଉପରେ ମଧ୍ୟ ନଜର ରଖାଯାଉଥିବା ବନ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଜଙ୍ଗଲରେ ନିଆଁ ଲାଗିଯାଇଥିବା ଯୋଗୁଁ ଏବଂ ଏହି ଋତୁରେ ମହୁଲ ଖାଇବାକୁ ଜଙ୍ଗଲ ଛାଡି ହାତୀ ପଲ ସହର ମୁହାଁ ହୋଇଥିବା ବନ ବିଭାଗ ଅନୁମାନ କରୁଛି। ଏହି ହାତୀ ପଲରେ ଦନ୍ତା, ମାଇହାତୀ, ଶାବକ କୁ ମିଶାଇ 12 ଟି ହାତୀ ରହିଥିବା ଜଣା ପଡ଼ିଛି।