ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୪.୦୩): ୨୩ମାର୍ଚ୍ଚ ୨୦୨୦ରେ ସାରାଭାରତରେ ପଡିଥିଲା ତାଲା । କେହି କିଛି ବୁଝିବା ଆଗରୁ ବନ୍ଦୀ ହୋଇଗଲେ ନିଜ ନିଜ ଘର ଭିତରେ ସମସ୍ତେ । କାରଣ ବାହାରେ ଥିଲା ମହାମାରୀ କରୋନାର କୋକୁଆ ଭୟ । କେବଳ ଭାରତ ନୁହେଁ ସାରା ବିଶ୍ୱରେ କୋଭିଡ଼ ରଚିଥିଲା ମୃତ୍ୟୁର ତାଣ୍ଡବ ମହାମାରୀ କରୋନା । ଭୟଙ୍କର ଭାବେ ପ୍ରଭାବିତ ହୋଇଥିଲା ଜୀବନ ଓ ଜୀବିକା । ସମଗ୍ର ବିଶ୍ୱରେ ପ୍ରାୟ ୬୮ଲକ୍ଷ ଲୋକଙ୍କର ପ୍ରାଣ ନେଇଥିଲା ଏହି କିଲର ଭାଇରସ୍ । କୋଟି କୋଟି ଲୋକ ହରାଇ ଥିଲେ ନିଜ ନିଜର ଜୀବିକା । ପ୍ରଥମ ପର୍ଯ୍ୟୟରେ କେବଳ ୨୧ଦିନ ପାଇଁ ଲକଡ଼ାଉନ୍ ହୋଇଥିଲେ ମଧ୍ୟ ଭୟାବହତାର ସ୍ଥିତିକୁ ଆଖିରେ ରଖି ୩ ପର୍ଯ୍ୟାୟରେ ଲକ୍ଡ଼ାଉନ ସମୟ ସୀମାକୁ ବୃଦ୍ଧି କରିଥିଲେ ସରକାର । ପେଟପାଇଁ ଦାଦନ ବନିଥିବା ଶ୍ରମିକମାନେ ଶହ ଶହ କିଲୋମିଟର ଚାଲି ଚାଲି ବାହୁଡ଼ିଥିଲେ ନିଜ ଭିଟାମାଟିକୁ । ହେଲେ ରାସ୍ତାରେ ଚାଲି ଯାଇଯାଇଥିଲା ଅନେକଙ୍କ ଜୀବନ । ବିକଟାଳ ମହାମାରୀ ରୂପ ପାଖରେ ଫୁଟପାଥ ଠାରୁ କାଚ ଘରେ ରହୁଥିବା ମଣିଷକୁ ପ୍ରଭାବିତ କରିଥିଲା । ଜୀବନ ବିକଳରେ ରକ୍ତ ରକ୍ତକୁ ଛୁଇଁଲା ନାହିଁ । ମଣିଷ ଆପଣା ଲୋକର ମୃତ୍ୟୁକୁ ନିଜ ଆଖି ସାମ୍ନାରେ ଦେଖି ପଥର ପରି ସହିଲା । ଏପରିକି ମୃତ୍ୟୁ ପରେ ଆପଣା ଲୋକ ଛୁଇଁବାକୁ ବାରଣ କଲା । ମହାମାରୀ ଏପରି କଲବଲ କଲା ଭୋକ ଠାରୁ ବଳି ପଡ଼ିଲା ମୃତ୍ୟୁର ପୀଡ଼ା । ବିନା ଖାଦ୍ୟରେ ସୁସ୍ଥ ମଣିଷ ରୋଗୀ ପାଲଟିଲା । ରୋଗୀ ବିନା ଚିକିତ୍ସାରେ ଛଟପଟ୍ ହୋଇ ମରିବାକୁ ଲାଗିଲା । ଯୋଗୀ ଘରର ଚାରି କାନ୍ଥ ଭିତରେ ପଡ଼ି ରହିଲା । ଏହି ମହାମାରୀ ସମୟରେ ସବୁଠାରୁ ଦାରୁଣ ଦୃଶ୍ୟ ଗାଁ ମଶାଣୀ ଠାରୁ ସହରୀ ଚୁଲା ନିକଟରେ ଦେଖିବାକୁ ମିଳିଥିଲା । ଶବଦାହ ହେବାକୁ ହଜାର ହଜାର ମୃତ ଦେହ ଖୋଲା ଆକାଶରେ ପଡ଼ି ରହୁଥିଲା । ଆପଣା ଲୋକଙ୍କୁ ଏପରି ବାରଣ କରା ଯାଇଥିଲା ଛୁଇବା ଦୂର କଥା , ଦେଖିବାକୁ ମନା ହେଉଥିଲା । ଏମିତି ଦୁଃଖ ଯନ୍ତ୍ରଣା ବୋଧହୁଏ ମଣିଷ ଜାତି ପ୍ରଥମେ ଦେଖିବାକୁ ପାଇଲା । ଯାହା ମଣିଷ ମନରେ ଏବେ ଆସିଲେ ଭୟରେ ଶୀତେଇ ଯାଏ ଦେହ ।