ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବଦଳିଲା ସକାଳୁଆ ସ୍କୁଲ ସମୟ । ପ୍ରବଳ ଖରା ପାଇଁ ସକାଳୁଆ ସ୍କୁଲର ସମୟ ପରିବର୍ତ୍ତନ କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ । ନବମ ଓ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୭ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ସେହିପରି ଦଶମ ଓ ଦ୍ଵାଦଶ ଶ୍ରେଣୀ ପିଲାଙ୍କ ପାଇଁ ସକାଳ ୮ରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବ । ପୂର୍ବରୁ ସକାଳ ୯ଟାରୁ ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ଖରା ପାଇଁ ଏହାକୁ ପରିବର୍ତ୍ତନ କରାଯାଇଛି । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲଗୁଡ଼ିକରେ ଏହି ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ପ୍ରତାପ କୁମାର ମିଶ୍ର ବିଭାଗ ଅଧୀନ ସମସ୍ତ ନିର୍ଦ୍ଦେଶାଳୟ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖିଛନ୍ତି । ମନ୍ତ୍ରୀ କହିଛନ୍ତି, ଦଶମ ଓ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ପୂର୍ବରୁ ଯେମିତି ୪ ଘଣ୍ଟାର କ୍ଲାସ୍ ହେଉଥିଲା, ଏବେ ବି ସମାନ ଭାବେ ୪ଘଣ୍ଟାର କ୍ଲାସ୍ କରାଯିବ। କ୍ଲାସ୍ ପ୍ରଭାବିତ ହେବ ନାହିଁ କି ପାଠପଢ଼ା କମିବନି । ୯ମ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ବ ଦେଇ ଏଭଳି ନିଷ୍ପତ୍ତି ନିଆଯାଇଛି ।