ଗର୍ଭଗୃହରେ ମୁଷା ଉପଦ୍ରବ। ବଡବଡ ମୁଷା ଗର୍ଭଗୃହରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ କ୍ଷତି ପହଞ୍ଚାଉଛନ୍ତି। ମହାପ୍ରଭୁଙ୍କ ପାଟବସ୍ତ୍ର କାଟି ପକାଉଛନ୍ତି ଫୁଲ ତୁଳସୀ କାଟୁଛନ୍ତି। ମୁଷା ଉପଶମ ପାଇଁ ଶ୍ରୀମନ୍ଦିର ପ୍ରଶାସନ କୌଣସି ପଦକ୍ଷେପ ନେଉନାହାଁନ୍ତି। କିଛିଦିନ ତଳେ ଜଣେ ସିଂହାରୀ ସେବାୟତ ବିସ୍ପୋରକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଏକ ସ୍ୱତନ୍ତ୍ର ମୁଷାଧରା ମେସିନ ମଧ୍ୟ ଅଣାଯାଇଥିଲା। ମାତ୍ର ମେସିନଟି ଆକ୍ଟିଭ ଥିବା ସମୟରେ ଶବ୍ଦ କରୁଥିବାରୁ ମହାପ୍ରଭୁଙ୍କ ପହୁଡରେ ବ୍ୟାଘାତ ହେବ ବୋଲି ସେବାୟତ ମାନେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଫଳରେ ଏହି ମେସିନକୁ ଆଉ ଗର୍ଭଗୃହରେ ଲଗାଯାଇନଥିବା ଜଣାପଡିଛି।
ସେପଟେ ଗତକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସେବକ ଦଇତାପତିମାନେ ମହାପ୍ରଭୁଙ୍କ ଖସାପଡା ନିତି କରିବା ପାଇଁ ଗର୍ଭଗୃହରେ ପ୍ରବେଶ କରିଥିଲେ। ପାଞ୍ଚଘଣ୍ଟାର ଏହି ନିତି ସମୟରେ ମୁଷା ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କିଛି କ୍ଷତି ପହଞ୍ଚିଛି କି ନାହିଁ କିଛି ବରିଷ୍ଠ ଦଇତାପତି ସେବକମାନେ ଏହାର ଅନୁଧ୍ୟାନ କରିଥିଲେ। ମାତ୍ର ବହୁ ବଡବଡ ମୁଷା ମହାପ୍ରଭୁଙ୍କ କନକମୁଣ୍ଡି ଉପରେ ଥିବା ଚାନ୍ଦୁଆରେ ରହୁଛନ୍ତି। ମହାପ୍ରଭୁଙ୍କର ପହୁଡ ପଡିବା ପରେ ମହାପ୍ରଭୁ ଶୟନ ଯାଆନ୍ତି। ସେତେବେଳେ କଳାହାଟ ଦ୍ୱାର, ବେହରଣ ଦ୍ୱାର , ଜୟବିଜୟ ଦ୍ୱାର ବନ୍ଦ ରହିଥାଏ। କେହି ଭିତରକୁ ପ୍ରବେଶ କରନ୍ତି ନାହିଁ। ସେହି ସମୟରେ ମୁଷା ଗୁଡିକ ଗର୍ଭଗୃହରେ ମହାପ୍ରଭୁଙ୍କର ଫୁଲ,ତୁଳସୀ ଆଦି କାଟିଛନ୍ତି। ଆଉ ମହାପ୍ରଭୁଙ୍କ ପାଟବସ୍ତ୍ରକୁ ସାମାନ୍ୟ କାଟିଥିବା ଦେଖିବାକୁ ମିଳିଛି। ମାତ୍ର ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ କୌଣସି କ୍ଷତି ପହଞ୍ଚିନାହିଁ। ଶ୍ରୀଅଙ୍ଗ ସମ୍ପୂର୍ଣ୍ଣ ସୁରକ୍ଷିତ। କେବଳ ପାଟବସ୍ତ୍ରକୁ ସାମାନ୍ୟ କାଟିଛନ୍ତି। ଆଗାମୀ ନବଦିନାତ୍ମକ ଯାତ୍ରା ସମୟରେ ମହାପ୍ରଭୁ ବାହାରକୁ ଆସିଲେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର କର୍ମକର୍ତ୍ତା, ପରିଚାଳନା କମିଟିର ସଦସ୍ୟ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଅନୁଧ୍ୟାନ କରି ସ୍ଥାୟୀ ପ୍ରତିକାର କରାଯିବ। ସେପଟେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେଉଥିବା ପ୍ରାକୃତିକ ପ୍ରସାଧନ ସାମଗ୍ରୀର ମାନ ଠିକ୍ ରହୁନାହିଁ। ନକଲି ଚନ୍ଦନ, ନକଲି କସ୍ତୁରୀ ଆଦି ବିଭିନ୍ନ ନକଲି ପ୍ରସାଧନ ସାମଗ୍ରୀ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପ ଦିଆଯାଉଥିବାରୁ ମୁଷା,ଅସରପା ଆଦି କୀଟ ପତଙ୍ଗଙ୍କ ପ୍ରାଦୁର୍ଭାବ ବଢିଛି। ୨୦ବର୍ଷ ତଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଅସଲି କସ୍ତୁରୀ,ଅସଲି ଚନ୍ଦନ, ଅସଲି ଚୁଆ ଆଦି ବିଭିନ୍ନ ସାମଗ୍ରୀ ଲେପ ଦିଆଯାଉଥିଲା। ଯାହାର ବାସ୍ନାରେ ଗର୍ଭଗୃହରେ ମୁଷା ଅସରପା ସମେତ କୌଣସି କୀଟପତଙ୍ଗ ବସା ବାନ୍ଧି ରହୁନଥିଲେ। ଏଣୁ ଅଣଷର ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅସଲି ସାମଗ୍ରୀ ପ୍ରଦାନ କଲେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରାଯିବ। ଯାହା ମୁଷା ମାନଙ୍କ ଉପଦ୍ରବ କମିବା ସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ରହିବ ବୋଲି କହିଛନ୍ତି ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର।
ସେପଟେ ଖସାପଡା ନିତି ସମୟରେ ଗର୍ଭଗୃହରେ ମୁଷା ଉପଦ୍ରବ ଯୋଗୁଁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ପ୍ରତି କିଛି କ୍ଷତି ପହଞ୍ଚିଛି କି ନାହିଁ ତାହା ଉପରେ ଟିକନିକ ଅନୁଧ୍ୟାନ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ଦଇତାପତି ସେବକ ତଥା ସୁଭଦ୍ରାଙ୍କ ବାଡଗ୍ରାହୀ ରାମଚନ୍ଦ୍ର ଦାସମହାପାତ୍ର। ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ରଙ୍କର କୌଣସି କ୍ଷତି ହୋଇନାହିଁ। ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ବାସୁଙ୍ଗା ପାଟରେ କିଛି କ୍ଷତି ହୋଇଥିଲା ଯାହାକୁ ଖସାପଡା ନୀତି ସମୟରେ ଭରଣା କରାଯାଇଛି। କୌଣସି ପ୍ରକାରେ ମହାପ୍ରଭୁଙ୍କ ଦାରୁ କ୍ଷତି ହୋଇନାହିଁ କିନ୍ତୁ ତୁରନ୍ତ ମୂଷାର ଦୌରାତ୍ମ୍ୟକୁ ସମ୍ପୂର୍ଣ୍ଣ ଲୋପ କରିବାକୁ ପଡିବ । ଯେଉଁ ବାଟଦେଇ ମୂଷା ଆସୁଛନ୍ତି ସେହି ବାଟକୁ ଚିହ୍ନଟ କରାଯାଇଛି ଏବଂ ମୁଦ ଦିଆଯାଇଛି ଫଳରେ ମୂଷା ପୁନର୍ବାର ସେହି ବାଟ ଦେଇ ଆସିପାରିବ ନାହିଁ ବୋଲି ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି। ମୂଷାଙ୍କପ୍ରାଦୁଭାବ ରହିଛି କିନ୍ତୁ ଶ୍ରୀଅଙ୍ଗ ସୁରକ୍ଷିତ ରହିଛି। ଯେଉଁ ଭଳି ଚିନ୍ତା କରାଯାଉଥିଲା ସେଭଳି କ୍ଷତି ହୋଇନାହିଁ କି ଶ୍ରୀଅଙ୍ଗର ଦାରୁ କ୍ଷତି ହୋଇନାହିଁ। ପ୍ରତିବରଷ ଯେଉଁ ସମସ୍ୟା ଥାଏ ସେହି ସମସ୍ୟା ରହିଛି କିନ୍ତୁ ମୂଷାଙ୍କୁ ଧରିବା ପାଇଁ ପାରମ୍ପରିକ ଉପାୟ କରାଯିବ ଏବଂ ରଥଯାତ୍ରା ସମୟରେ ଏକ ଲୁହା ଜାଲି ଲଗାଇବାପାଇଁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ବରିଷ୍ଠ ଦଇତାପତି ସେବକ ବିନାୟକ ଦାସମହାପାତ୍ର କହିଛନ୍ତି।