କୋଇଡ଼ା,(ଏନଏନଏସ ଓଡ଼ିଆ /୨୧.୦୩): ବିଡିଓ ପଲ୍ଲବୀରାଣୀ ରାଜଙ୍କ ବଦଳି ଦାବିରେ ଆଜି ସିପିଆଇ (ଏମ୍) ପକ୍ଷରୁ ୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପାଳନ ହେଉଛି। ସିପିଆଇ (ଏମ୍) ବିଧାୟକ ଲକ୍ଷ୍ମଣ ମୁଣ୍ଡା ଓ ଦଳର ରାଷ୍ଟ୍ରୀୟ ଉପସଭାପତି ବିଷ୍ଣୁ ମହାନ୍ତିଙ୍କ ନେତୃତ୍ବରେ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ କୋଇଡ଼ା ବନ୍ଦ ପାଳନ କରୁଛି ସିପିଆଇଏମ୍ । ୧୨ ଘଣ୍ଟିଆ କୋଇଡ଼ା ବନ୍ଦ ପ୍ରଭାବରେ ବ୍ଲକରେ ଥିବା ସମସ୍ତ ଖଣିରୁ ପରିବହନ ବନ୍ଦ ରହିଛି। ଦୋକାନବଜାର ବି ବନ୍ଦ ରହିଛି। ଏହାଛଡ଼ା ବ୍ଲକ କାର୍ଯ୍ୟଳୟ, ତହସିଲ କାର୍ଯ୍ୟାଳୟ, ଖଣି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଓ ଜାତୀୟ ରାଜପଥ ବନ୍ଦ ରଖିବାକୁ ସିପିଆଇଏମ୍ ପକ୍ଷରୁ କୁହାଯାଇଛି। ତେବେ ଜରୁରୀକାଳୀନ ସେବା, ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ବସ୍ ଚଳାଚଳକୁ ଏହି ବନ୍ଦରୁ ବାଦ ଦିଆଯାଇଛି।
ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ଵରେ ହଜାର ହଜାର କର୍ମୀ, ବ୍ଲକ୍ ଅଧ୍ୟକ୍ଷ ଓ ଜନପ୍ରତିନିଧିମାନେ କୋଇଡ଼ାବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବଦଳି ଓ କାର୍ଯ୍ୟାନୁଷ୍ଠାନ ଦାବି ନେଇ ସାତ ଦିନ ଧରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ। ଇତି ମଧ୍ୟରେ ବିଧାୟକ ବିଧାନସଭା ରେ ବିଡିଓ ତୁରନ୍ତ ବଦଳି ନେଇ ବାଚସ୍ପତିଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଧାନସଭା ହୁଲସ୍ତୁଲ ମଧ୍ୟ କରିଥିଲେ, ଯାହାକୁ ନେଇ ସାରା ରାଜ୍ୟ ରେ ଚର୍ଚ୍ଚା ଜୋର୍ ଧରିଥିଲା। ହେଲେ ବିଡିଓଙ୍କ ବଦଳି କି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସିପିଆଇଏମ୍ ଦଳ ୨୧ ତାରିଖ ମଙ୍ଗଳବାର କୋଇଡ଼ା ଖଣି ଅଞ୍ଚଳରେ ବନ୍ଦ ସହ ଅର୍ଥନୈତିକ ଅବରୋଧ କରିଛନ୍ତି। ବନ୍ଦ ପାଳନରେ ଖଣି, ଖଣି ପରିବହନ , ରାଜରାସ୍ତା, ସରକାରୀ କାର୍ଯ୍ୟାଳୟ, ଚାରିଗୋଟି ରେଳ ସାଇଡିଂ ଯଥା ରେଞ୍ଜଡା , ବିମଲାଗଡ଼ , ରକ୍ସି , ପାଟାସାହି ପ୍ରମୁଖ ବନ୍ଦ କରିବା ସହ ରେଳରୋକ ମଧ୍ୟ କରିଛନ୍ତି କର୍ମୀ ।