ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୩): ବ୍ୟାପୁଛି H3N2 ଭାଇରସ । ପ୍ରତି ୧୦ ଜଣରେ ୬ଜଣ ପିଲା ଆକ୍ରାନ୍ତ । ଏନେଇ ସାଘାଂତିକ ତଥ୍ୟ ରଖିଛନ୍ତି ଦିଲ୍ଲୀର ଜଣେ ଡାକ୍ତର (doctor) ଦୀନେଶ ରାଜ । ସେ କହିଛନ୍ତି, ଗତ ଦୁଇ ମାସ ହେଲା ଶୀଘ୍ର ବ୍ୟାପୁଛି H3N2 ଭାଇରସ (virus) । ବିଶେଷ କରି ୩୦ରୁ ୪୦ ପ୍ରତିଶତ ମାମଲା ବଢ଼ିଛି । ସେଥିରୁ ଆସୁଥିବା ମାମଲା ମଧ୍ୟରୁ ପ୍ରତି ୧୦ ଜଣରେ ୫ରୁ ୬ ଜଣ ପିଲାଙ୍କୁ H3N2 ଭାଇରସ ସଂକ୍ରମିତ କେସ ସାମ୍ନାକୁ ଆସୁଛି ।
ସେହିପରି ମୁମ୍ବାଇର ଏକ ଚାଇଲ୍ଡ ହସ୍ପିଟାଲ ଡାକ୍ତର ନେହାଲ ଶାହ କହିଛନ୍ତି, ବୟସ୍କଙ୍କ ଅପେକ୍ଷା ପିଲାଙ୍କୁ ଖୁବଶୀଘ୍ର ବ୍ୟାପୁଛି ଭାଇରସ । ଆଗକୁ ଆହୁରି ସଂକ୍ରମଣ ବଢ଼ିବ ବୋଲି ସେ କହିଛନ୍ତି । ସେପଟେ ଶନିବାର ରାଜ୍ୟରେ ୫୯ ପଜିଟିଭ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଏଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ଡାକ୍ତର ହରୀଶ ଚୌଧୁରୀ କହିଛନ୍ତି, H3N2 ଭାଇରସ ନୂଆ ନୁହେଁ । ସ୍ବାଇନଫ୍ଲୁ ଭଳି ଏହା ଏକ ଇନ୍ଫ୍ଲୁଏଞ୍ଜା । ୨୦୦୯ରେ ଚିହ୍ନଟ ହୋଇଥିବା H1N1ର ସବ୍-ଭାରିଆଣ୍ଟ । H3N2 ଭାଇରସର ପ୍ରକୋପ ଅଧିକ, କିନ୍ତୁ ସଠିକ୍ ଚିକିତ୍ସା କଲେ, ରୋଗୀ ସୁସ୍ଥ ହୋଇଯିବ । ଏହାର ପ୍ରତିକାର ଓ ନିରାକରଣ ପାଇଁ ଟେଟ୍ରା ଭାଲେଣ୍ଟ ଭାକ୍ସିନ ରହିଛି । କିନ୍ତୁ ଏହି ଟିକା କିଏ ନେବେ, କେବେ ନେବ, ସେ ନେଇ ଲୋକଙ୍କୁ ସଚେତନ କରାଯିବା ଜରୁରୀ । କୋଭିଡ୍ ଭଳି H3N2 ଭାଇରସର ଟେଷ୍ଟ ଆରଟିପିସିଆର ଜରିଆରେ ଶସ୍ତାରେ କରାଯାଇପାରିଲେ, ଏଥିରେ କେହି ଗୁରୁତର ହେବେ ନାହିଁ କି କାହାରି ମୃତ୍ୟୁ ହେବନାହିଁ । ଏହି ଭୂତାଣୁ ଗର୍ଭବତୀ ମହିଳା, ଶିଶୁ, ବୟସ୍କ ଓ ଗୁରୁତର ରୋଗୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ଅଧିକ ଥିବା କହିଛନ୍ତି ଡାକ୍ତର ହରୀଶ ଚୌଧୁରୀ ।
ସେହିପରି ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଜୟନ୍ତ ପଣ୍ଡା କହିଛନ୍ତି, H3N2 ଭାଇରସ ଏକ ସାଧାରଣ ଏନଫ୍ଲୁଏଞ୍ଜା ଏଥିରେ ସଂକ୍ରମିତ ହେଲେ ଥଣ୍ଡାଜନିତ ଜ୍ବର, ମୁଣ୍ଡବ୍ୟଥା, ଗଳା ଦରଜ ରୁହେ । କିଛି କ୍ଷେତ୍ରରେ ଏହା ନିମୋନିଆ ହୋଇପାରେ । କୋଭିଡ୍ ଯୋଗୁଁ ରୋଗ ପ୍ରତିରୋଧକ ହ୍ରାସ ପାଇଥିବା ବ୍ୟକ୍ତିଙ୍କୁ ଏହା ସହଜରେ ସଂକ୍ରମିତ କରିପାରେ । ଛିଙ୍କ, କାଶ ଓ ହାତ ଦ୍ବାରା ବ୍ୟାପୁଛି H3N2 ଭାଇରସ । ତେବେ ଏହା କୋଭିଡ୍ ଭଳି ମାରାତ୍ମକ ହୋଇ ନ ପାରେ । ଏଥିରେ ଗୁରୁତର ହେବା ଆଶଙ୍କା ମଧ୍ୟ କମ୍ । ୭ ଦିନ ଅସୁସ୍ଥତା ପରେ ରୋଗୀ ସୁସ୍ଥ ହେବାର ସମ୍ଭାବନା ରହିଛି । କୋଭିଡ ଭଳି ଅନୁରୂପ ସତର୍କତା ଅବଲମ୍ବନ କରିବା ଜରୁରୀ ବୋଲି କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।