ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୫.୦୩): ଆଜିଠୁ ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ୧୦ ଦଫା ଦାବି ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ମହାସଂଘ। ଡ୍ରାଇଭର ପାଣ୍ଠି ଗଠନ, ସାମାଜିକ ନିରାପତ୍ତା, ଡ୍ରାଇଭରଙ୍କ ପାଇଁ ବୀମା, ପେନସନ୍, ସଡ଼କ ଯାତ୍ରା ବେଳେ ବିଭିନ୍ନ ସ୍ଥାନରେ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା ଭଳି ୧୦ ଦାବି ଉଠାଇ ଆନ୍ଦୋଳନର ଡାକରା ଦେଇଛି ମହାସଂଘ।
ପୂର୍ବରୁ ଏସବୁ ଦାବି ସଂପର୍କରେ ରାଜ୍ୟ ସରକାରଙ୍କୁ ମହାସଂଘ ପକ୍ଷରୁ ବାରମ୍ବାର ଅବଗତ କରାଯାଇଛି। କିନ୍ତୁ ଫଳପ୍ରଦ ନହେବାରୁ ଆଜିଠାରୁ ରାଜ୍ୟର ସବୁ ବ୍ଲକ, ସଦର ମହକୁମା ଓ କିଛି ମୁଖ୍ୟ ରାସ୍ତାରେ ଆନ୍ଦୋଳନର ଚେତାବନୀ ଦେଇଛି ଡ୍ରାଇଭର ମହାସଂଘ। ଏହି ଆନ୍ଦୋଳନବେଳେ ଜରୁରୀକାଳୀନ ସେବାରେ ନିୟୋଜିତ ଯାନବାହନ ଭଳି ଆମ୍ବୁଲାନ୍ସ ସହ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ କରୁଥିବା ଗାଡ଼ିକୁ ବାଦ୍ ଦିଆଯିବ ବୋଲି ମହାସଂଘ କହିଛି।