ପୁରୀ,(ଏନଏନଏସ ଓଡ଼ିଆ /୧୦.୦୩): ବୁଧବାର ରାତି ପ୍ରାୟ ୮ଟା ବେଳେ ପୁରୀ ମରିଚି ଛକ ଠାରେ ଥିବା ଲକ୍ଷ୍ମୀ ମାର୍କେଟ କଂପ୍ଲେକ୍ସରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ ଟିମ୍ ଦିନରାତି ଏକ କରି ନିଆଁ ଲିଭା କାମରେ ଲାଗି ପଡ଼ିଥିଲେ। ଆଜି ସକାଳୁ ମଧ୍ୟ ଅକ୍ସିଜେନ ମାସ୍କ ପିନ୍ଧି ଧୂଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ଏବେ ନିଆଁ ସମ୍ପୂର୍ଣ୍ଣ ଆୟତ୍ତ ହୋଇଛି। ତେବେ ଜଳି ପୋଡ଼ି ଛାରଖାର ହୋଇଯାଇଛି ୪୩ ଦୋକାନ ଘର ସାଙ୍ଗକୁ ଫ୍ୟାସନ ସେଣ୍ଟର ଓ ହୋଟେଲ। ଗତକାଲି ଘଟଣାସ୍ଥଳରେ ସ୍ଥିତି ପରଖିଥିଲେ ଅଗ୍ନିଶମ ଡିଜି ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା। ପୁରୀ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସରେ କିପରି ଅଗ୍ନିକାଣ୍ଡ ଘଟିଲା ସେ ନେଇ ଏକ ବୈଠକ ବସିଛି। ସିଟି ଡିଏସ୍ପିଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଅଛନ୍ତି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ପ୍ରାଥମିକ ସ୍ତରରେ ତଦନ୍ତ କରାଯାଉଛି।