ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୯.୦୩): ବାଜି ନାହିଁ ବିଗୁଲ, ମାତ୍ର 24 ପୂର୍ବରୁ ଏହା ଶେଷ ଉପନିର୍ବାଚନ ହୋଇଥିବାରୁ ସବୁ ଦଳଙ୍କ ମଧ୍ୟରେ ଦେଖିବାକୁ ମିଳିଛି ତତ୍ପରତା । କାରଣ ଯେକୌଣସି ମୁହୂର୍ତ୍ତରେ ଝାରସୁଗୁଡ଼ା ଭୋଟ ପାଇଁ ତାରିଖ ଘୋଷଣା କରିପାରନ୍ତି ନିର୍ବାଚନ କମିଶନ । ସେଠାରେ ବିଧାୟକ ଥିଲେ ନବ ଦାସ । ନବଙ୍କୁ ହତ୍ୟା ପରେ ଟିକେଟ ରେସରେ ଆଗରେ ଅଛନ୍ତି ତାଙ୍କ ଝିଅ ଦୀପାଳି । ସେପଟେ ଦେଖିବାକୁ ଗଲେ ବିଜେପି ଓ କଂଗ୍ରେସରୁ ଆଶାୟୀ ଅନେକ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମ୍ଭବତଃ ଝାରସୁଗୁଡ଼ାରେ ହେବ ଶେଷ ଉପନିର୍ବାଚନ । ତେଣୁ ବଳ ଲଗାଇବାକୁ ଇସାରା ଦେଇଛନ୍ତି ସବୁ ଦଳ ।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଖାଲି ପଡ଼ିଛି ଝାରସୁଗୁଡା ଆସନ । ତେଣୁ ଯେ କୌଣସି ମୁହୂର୍ତ୍ତରେ ବାଜିପାରେ ଉପନିର୍ବାଚନ ପାଇଁ ବିଗୁଲ୍ । ଖୁବଶୀଘ୍ର ଭୋଟ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ନେଇ ସୂଚନା ମିଳିଛି । ସେପଟେ ତାରିଖ ଘୋଷଣାକୁ ଅପେକ୍ଷା ରହିଥିବା ବେଳେ ଆରମ୍ଭ ହେଲାଣି ପ୍ରାର୍ଥୀ କସରତ। ଆଉ ଝାରସୁଗୁଡ଼ା ଉପନିର୍ବାଚନରେ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ବିଜେଡିରୁ ଟିକେଟ ମିଳିବା ଏକ ପ୍ରକାର ନିଶ୍ଚିତ । ବାପାଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବାକୁ ଝାରସୁଗୁଡ଼ାରେ ଏବେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି ଝିଅ ଦୀପାଳି । ପଦ୍ମପୁର ଉପନିର୍ବାଚନ ବେଳେ ବିଜେଡି ପାଇଁ ପ୍ରଚାର କରିଥିଲେ ଦୀପାଳି । ନବ ଦାସଙ୍କ ସହ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଏବେ ଲୋକଙ୍କ ସହ ଅଧିକରୁ ଅଧିକ ଯୋଡ଼ି ହେଉଛନ୍ତି ଦୀପାଳି ଦାସ । ସେପଟେ ବିଜେଡି କହିଛି ନିର୍ବାଚନ ପାଇଁ ଦଳ ସବୁବେଳେ ପ୍ରସ୍ତୁତ ।
ସେପଟେ ବିଜେପି ଯୁବନେତା ଟଙ୍କଧର ତ୍ରିପାଠୀ ଝାରସୁଗୁଡାରେ ଲଢିବା ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ଟଙ୍କଧର ଝାରସୁଗୁଡ଼ାର ବିଭିନ୍ନ କାର୍ଯ୍ୟକ୍ରମ ସାମିଲ ହୋଇ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି । ୨୦୧୯ ନିର୍ବାଚନ ଲଢିଥିବା ଦିନେଶ ଜୈନ ମଧ୍ୟ ଟିକେଟ ପାଇଁ ଅନ୍ୟତମ ଦାବିଦାର । ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ କହିଛନ୍ତି ନବଙ୍କ ହତ୍ୟା ପରଠୁ ଯେଉଁ ଦ୍ୱନ୍ଦ ଦେଖାଦେଇଛି ତାର ସ୍ପଷ୍ଟୀକରଣ ରାଜ୍ୟ ସରକାର ଦେଇପାରୁ ନାହାନ୍ତି । ସେଥିପାଇଁ ବିଜେପି ସପକ୍ଷରେ ରହିବ ଜନମତ । ହେଲେ ସଂସଦୀୟ କମିଟି ଯାହା ନିଷ୍ପତ୍ତି ନେବେ ସେହି ହିସାବରେ ଟିକଟ ଦିଆଯିବ ।
ସେହିପରି କଂଗ୍ରେସ ପ୍ରାର୍ଥୀ ପାଇଁ ପୂର୍ବତନ ବିଧାୟକ ବିରେନ ପାଣ୍ଡେଙ୍କ ପୁଅ ତରୁଣ, କଂଗ୍ରେସ ଜିଲ୍ଲା ସଭାପତି ଅଶୋକ ମିଶ୍ର ଓ ୨୦୧୯ ନିର୍ବାଚନ ଲଢିଥିବା ମହେନ୍ଦ୍ର ନାଏକ ଦାବିଦାର ଅଛନ୍ତି । ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା କହିଛନ୍ତି ପିସିସି ସଭାପତିଙ୍କ ଘର ପଶ୍ଚିମ ଓଡ଼ିଶାରେ ହୋଇଥିବାରୁ ହାତ ସପକ୍ଷରେ ଯିବ ଜନମତ । ନବ ଦାସ କଂଗ୍ରେସରୁ ବିଜେଡିକୁ ଯାଇଥିଲେ । ତାଙ୍କ ସହ ସମର୍ଥକମାନେ ମଧ୍ୟ ଯାଇଥିଲେ । ହେଲେ ନବଙ୍କ ମୃତ୍ୟୁ ପରେ ସମର୍ଥକ କଂଗ୍ରେସକୁ ଫେରିବେ ବୋଲି କହିଛନ୍ତି ଜୟଦେବ ।
ଝାରସୁଗୁଡ଼ା ବିଧାୟକ ନବ ଦାସଙ୍କ ମୃତ୍ୟୁ ସମ୍ପର୍କରେ ବିଧିବଦ୍ଧ ଭାବେ ଭାରତୀୟ ନିର୍ବାଚନ କମିଶନଙ୍କୁ ଓଡ଼ିଶା ବିଧାନସଭା ପକ୍ଷରୁ ଏକ ବିଜ୍ଞପ୍ତିର ନକଲ ପଠାସରିଛି । ସେପଟେ ଷୋଡ଼ଶ ବିଧାନସଭାରେ ନବ ଦାସଙ୍କୁ ମିଶାଇ ୭ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ବିଜେପୁରକୁ ମିଶାଇ ୭ଟି ଉପନିର୍ବାଚନରେ ୬ଟିରେ ବିଜେଡି ବାଜିମାତ କରିଥିବା ବେଳେ ଧାମନଗର ସିଟରେ ଜିତିଥିଲା ବିଜେପି ।