ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬.୦୩): ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ରାଜନୀତିରେ ବ୍ୟବହାର କରିବା ପ୍ରସଙ୍ଗରେ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ମିଶନ୍ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ । ସୁଜାତା କହିଛନ୍ତି, ଯଦି ମହିଳାମାନେ ରାଜନୀତିକୁ ଆସୁଛନ୍ତି ତାଙ୍କୁ ସମାଲୋଚନା କରାଯିବା ଠିକ୍ ନୁହେଁ । ଏହା ସେମାନଙ୍କର ଅଧିକାର । ମହିଳାଙ୍କୁ ଏପରି ତ କୁହାଯାଇ ପାରିବ ନାହିଁ ଯେ, ଆପଣ ବ୍ୟବସାୟ କରନ୍ତୁ, ରାଜନୀତି ପ୍ରସଙ୍ଗରେ କଥା କୁହନ୍ତୁ ନାହିଁ । ଓଡ଼ିଶାରେ ମଧ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କ ମଧ୍ୟରେ ୬୦ରୁ ୭୦ ପ୍ରତିଶତ ମହିଳା ରହିଛନ୍ତି । ରାଜ୍ୟ ସରକାର ମହିଳାଙ୍କ ପାଇଁ ୫୦% ସଂରକ୍ଷଣ ବ୍ୟବସ୍ଥା କରିଥିଲେ ମଧ୍ୟ ଏହାଠାରୁ ଅଧିକ ମହିଳା ବିଜୟୀ ହୋଇ ଆସିଛନ୍ତି । ଏମିତିକି ୩୦ ଜିଲ୍ଲାରୁ ୨୧ ଜିଲ୍ଲାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ମହିଳା ହାତେଇଛନ୍ତି । ଏସବୁ ଭିତରେ ମିଶନ ଶକ୍ତି ମହିଳାଙ୍କ ନେତୃତ୍ୱ ନେବାର ନୂଆ ପ୍ଲାଟଫର୍ମ ସାଜିଛି ।
ଏହାପୂର୍ବରୁ ବିରୋଧୀ ମାନେ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି, ମିଶନ୍ ଶକ୍ତି ମହିଳାଙ୍କୁ ଟଙ୍କା ବାଂଟି ସରକାର ନିଜର ଭୋଟ୍ବ୍ୟାଙ୍କ ପ୍ରସ୍ତୁତ କରୁଛନ୍ତି । ଏସ୍ଏଚ୍ଜି ମହିଳାଙ୍କ ଜରିଆରେ ସରକାର ରାଜନୀତି କରୁଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ମିଶନ ଶକ୍ତି ସଚିବ ସୁଜାତା ଆର୍ କାର୍ତିକେୟନ ।