ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୬.୦୩): ଏବର୍ଷ ହିଟ୍ୱେଭ୍ କାରଣରୁ ପ୍ରଭାବିତ ହୋଇପାରେ କୃଷି । ବିଶେଷକରି ଅମଳ କମ ହେବା ସହ ଖରାଦିନିଆ ଫସଲ ମଧ୍ୟ ନଷ୍ଟ ହୋଇପାରେ । ଏଭଳି ଆକଳନ କରିଛନ୍ତି କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ । ସେ କହିଛନ୍ତି, ଗତ ଫେବୃୟାରୀରେ ଦିନରେ ତାପମାତ୍ରା ଲମ୍ବା ସମୟର ରେକର୍ଡ଼କୁ ଭଙ୍ଗ କରିଥିଲା । ଚଳିତ ମାର୍ଚ୍ଚରେ ମଧ୍ୟ ଅସହ୍ୟ ଉତ୍ତାପ ଅନୁଭବ ହୋଇଛି । ସେ ଦୃଷ୍ଟିରୁ ମେ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଉତ୍ତାପ ଅଧିକ ରହିପାରେ । କୃଷି ଅର୍ଥନୀତିଜ୍ଞ କହିଛନ୍ତି ଯେ, ବିଭିନ୍ନ ସମୟରେ ରାଜ୍ୟରେ ହିଟ୍ ୱେଭ୍ ଓ ପରବର୍ତ୍ତୀ ସମୟରେ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଆସୁଥିବାରୁ ସେ ପାଇଁ ଏବେଠାରୁ ପ୍ରସ୍ତୁତ ରହିବା ଜରୁରୀ ।
ବରିଷ୍ଠ କୃଷି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁସାରେ, ଚଳିତବର୍ଷ ରାଜ୍ୟରେ ମେ ଶେଷ ପର୍ଯ୍ୟନ୍ତ ଅନୁଭୂତ ହୋଇପାରେ ଅସହ୍ୟ ହିଟ୍ୱେଭ୍ । ବିଶେଷକରି ଏପ୍ରିଲ ପହିଲାରୁ ମେ ଶେଷ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିପାରେ । ଗତ ଫେବୃୟାରୀରେ ଅସହ୍ୟ ଗରମ ସମସ୍ତଙ୍କୁ ବ୍ୟଥିତ କରିଥିଲା । ମାର୍ଚ୍ଚର ପ୍ରଥମ ସପ୍ତାହରେ ମଧ୍ୟ ଉତ୍ତାପ ବଢିବାରେ ଲାଗିଛି । ଆଗାମୀ ୭ ତାରିଖଠାରୁ ଉତ୍ତାପର ପ୍ରଭାବ ସାମାନ୍ୟ କମ ରହିବ । କିନ୍ତୁ ୧୧ ତାରିଖ ପରେ ପୁଣି ବଢିପାରେ ଉତ୍ତାପ । ଯାହା ଆକଳନ କରାଯାଉଛି, ଚଳିତବର୍ଷ ହିଟ୍ୱେଭ୍ର ପ୍ରଭାବ ଅଧିକ ରହିପାରେ । ଏହି କାରଣରୁ କୃଷି ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି । ରାଜ୍ୟର ଅଧିକାଂଶ ଭାଗରେ ଚାଷୀମାନେ ବର୍ଷା ଉପରେ କୃଷି ଉପରେ ନିର୍ଭର କରୁଥିବାରୁ ଏଭଳି ସ୍ଥିତି ଉପୁଜିପାରେ ।
ଏଭଳି ସ୍ଥିତି ଉପୁଜିପାରେ ବୋଲି ମଧ୍ୟ ମତ ରଖିଛନ୍ତି ବରିଷ୍ଠ କୃଷି ଅର୍ଥନୀତିଜ୍ଞ ଡ଼. ସର୍ବନାରାୟଣ ମିଶ୍ର । ସେ କହିଛନ୍ତି, ପାଣିପାଗ ଉପରେ ନିର୍ଭର କରେ ରାଜ୍ୟର ଅନେକ କୃଷି କ୍ଷେତ୍ର । ତେଣୁ ଯଦି ହିଟ୍ୱେଭ ଅନୁଭୂତ ହୁଏ, ତେବେ ଅମଳ ନିଶ୍ଚୟ କମିବ । ତାଛଡ଼ା ଓଡ଼ିଶା ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟ ଅଧିକାଂଶ ସମୟରେ ଲାଗି ରହୁଥିବାରୁ ଏଭଳି ସ୍ଥିତି ମଧ୍ୟ ଉପୁଜିପାରେ । ସେ ଦୃଷ୍ଟିରୁ ଚାଷୀମାନେ ମିଲେଟ୍ ଚାଷକୁ ଗୁରୁତ୍ୱ ଦେବା ସହ ସମନ୍ୱିତ କୃଷି ପ୍ରଣାଳୀକୁ ଆପଣାଇବା ଉଚିତ ।
ତେବେ ଉପକୂଳ ତୁଳନାରେ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ହିଟ୍ୱେଭର କମ ପ୍ରଭାବ ଥିଲେ ମଧ୍ୟ କୃଷି ସେତେଟା ପ୍ରଭାବିତ ହେବ ନାହିଁ ବୋଲି ଏକ୍ସପର୍ଟ ମତ ରଖିଛନ୍ତି ।