ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୦୫.୦୩): ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡକୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ହତ୍ୟାର କାରଣ ସମ୍ପର୍କରେ ଆଜି ଯାଏଁ କୌଣସି ସୂଚନା ମିଳିଲା ନାହିଁ । କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି । ଏହାରି ଭିତରେ ନବ ଦାସଙ୍କ ଉତ୍ତରାଧିକାରୀ କିଏ ହେବ ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ତାଙ୍କ ଝିଅ ଦୀପାଳି ଆଜି ଏକ ବଡ଼ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଯାହାକୁ ବି ସମର୍ଥନ କରିବେ ଆମେ ତାକୁ ସମର୍ଥନ ଦେବୁ । ଲୋକଙ୍କ ସେବାରେ ମୁଁ ଆଗରୁ ଅଛି,ରାଜନୀତି ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ରାଜ୍ୟର ବରିଷ୍ଠ ନେତୃମଣ୍ଡଳୀଙ୍କ ସହ ଯୋଗାଯୋଗରେ ଅଛୁ । ଆଗାମୀ ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ। ତାକୁ ଗ୍ରହଣ କରିବୁ । ଭାଇ ବିଶାଳ ଓ ମାଙ୍କ ସହ ମିଶି ନବ ଦାସଙ୍କ ସମସ୍ତ ଅଧୁରା ସ୍ୱପ୍ନ ପୂରଣ କରିବା ଦିଗରେ କାର୍ଯ୍ୟ କରିବୁ । ମୁଖ୍ୟମନ୍ତ୍ରୀ ଯାହାକୁ ସମର୍ଥନ କରିବେ ସେ ମୋ ବାପାଙ୍କ ଜାଗା ନେଇ ପାରିବ ବୋଲି ଦୀପାଳି କହିଛନ୍ତି ।
ପ୍ରକାଶ ଯେ, ବାପାଙ୍କ ଦେହାନ୍ତ ପରେ ଦୀପାଳି ଏବେ ମଇଦାନକୁ ଓହ୍ଲାଇଛନ୍ତି । ନିଜର ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କୁ ସାଙ୍ଗରେ ଧରି ବିଭିନ୍ନ ସଭାସମିତି କରୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଦୀପାଳି ହିଁ ନବ ଦାସଙ୍କ ରାଜନୈତିକ ଉତ୍ତରାଧିକାରୀ ବୋଲି କୁହାଯାଉଥିବାବେଳେ ଏବେ ଦୀପାଳିଙ୍କ ବିଭିନ୍ନ ସଭାରୁ ସେ ରାଜନୀତି ମଇଦାନକୁ ଓହ୍ଲାଉଥିବା ଅଭାସ ମିଳୁଛି । ଅନ୍ୟପକ୍ଷରେ କାଇବବ୍ରାଞ୍ଚ ତଦନ୍ତକୁ ନେଇ ଦୀପାଳି କହିଛନ୍ତି ଯେ ତଦନ୍ତକୁ ଅଧିକ ସମୟ ହେଲାଣି । କ୍ରାଇମବ୍ରାଞ୍ଚ ଶେଷ ନିଷ୍ପତ୍ତି ନନେବା ଯାଏ ଆମେ କିଛି କହିବୁନି ବୋଲି ସ୍ପଷ୍ଟ କରିଛନ୍ତି ଦୀପାଳି । ମୁଖ୍ୟମନ୍ତ୍ରୀଙ୍କ ଉପରେ ଆମର ଭରଷା ଅଛି ଆମ ପରିବାରକୁ ନ୍ୟାୟ ମିଳିବ ।