କଟକ,(ଏନଏନଏସ ଓଡ଼ିଆ /୨୭.୦୨): ଏଣିକି ସିଏନଜିରେ ହେବ ଶବଦାହ । ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ କଟକ ଖାନନଗର ଅତ୍ୟାଧୁନିକ ଶବଦାହ ଗୃହ। ଯାହା ରାଜ୍ୟରେ ପ୍ରଥମ। ପରିବେଶ ସୁରକ୍ଷା ସହ ଅଳ୍ପ ସମୟ ଓ କମ ୟୁଜର ଫି ବ୍ୟବସ୍ଥା କରାଯାଉଥିବାରୁ ସହରବାସୀ ଏହାକୁ ସ୍ୱାଗତ କରିଛନ୍ତି।
ସାଢ଼େ ତିନି କୋଟି ଟଙ୍କା ବ୍ୟୟରେ ଚାଲୁଛି ଅତ୍ୟାଧୁନିକ ଶବଦାହ ଗୃହ ନିର୍ମାଣ କାର୍ଯ୍ୟ । କଟକ ଖାନନଗର ଠାରେ ନିର୍ମିତ ଏହି ପ୍ରକଳ୍ପ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ୧ ମାସ ମଧ୍ୟରେ ଏହାକୁ କାର୍ଯ୍ୟକ୍ଷମ କରାଯିବ। ରାଜ୍ୟରେ ପ୍ରଥମ ଥର ଲାଗି କଟକରେ ସିଏନଜି ଗ୍ୟାସ ଦ୍ୱାରା ଶବଦାହ କରିହେବ । ଥରକେ ୨ଟି ଶବଦାହ କରାଯିବା ପାଇଁ ଦୁଇଗୋଟି ଚିମିଣିର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କର୍ମ ଓ ବିଧି ବିଧାନ ଅନୁସାରେ ଗାଧୁଆ ଘର, ବିଶ୍ରାମ କକ୍ଷ ଓ ପାର୍କିଂ ସ୍ଥଳ ବି ନିର୍ମାଣ କରାଯାଇଛି। ରୀତିନୀତି ଅନୁଯାୟୀ ଯଦି କୌଣସି ବ୍ୟକ୍ତି, ମୃତକଙ୍କୁ କାଠରେ ଶବଦାହ କରିବାକୁ ଚାହିଁବେ ତାହେଲେ ସେମାନେ କରିପାରିବେ। ତେବେ ସିଏନଜି ବ୍ୟବସ୍ଥା ପ୍ରଥମଥର ପାଇଁ ହୋଇଥିବା ବେଳେ ଏହାଦ୍ୱାରା ପରିବେଶର ସୁରକ୍ଷା ମଧ୍ୟ ହୋଇପାରିବ ବୋଲି କହିଛନ୍ତି ସିଏମସି କମିଶନର।
୨୦୧୭ରେ ବିଦ୍ୟୁତ ବ୍ୟବସ୍ଥାକୁ ପରିବର୍ତ୍ତନ କରି ଏଠାରେ ଏଲ୍ପିଜି ରେ ଶବଦାହ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା। କିନ୍ତୁ ପ୍ରଦୂଷଣ ବୃଦ୍ଧି, ଶବଦାହ କରିବାରେ ବିଳମ୍ବ ହେବା ଓ ପରବର୍ତ୍ତୀ ସମୟରେ ଫନି ବାତ୍ୟା ଯୋଗୁଁ ଏହାର ଚିମିଣି ଭାଙ୍ଗି ନଷ୍ଟ ହୋଇ ଯାଇଥିଲା । ସିଏନଜି ଗ୍ୟାସ ମାଧ୍ୟମରେ ଶବଦାହ କରିବାକୁ ନିଷ୍ପତ୍ତି ନିଆଯାଇ ଗେଲ ଇଣ୍ଡିଆକୁ ମହାନଗର ନିଗମ ଦାୟିତ୍ୱ ଦେଇଥିଲା। ତେବେ ଏଭଳି ବ୍ୟବସ୍ଥା ଦ୍ୱାରା ଅଳ୍ପ ସମୟ, କମ୍ ୟୁଜର ଫି ବ୍ୟବସ୍ଥା କରାଯାଉ ଥିବାରୁ ଏହାକୁ ସ୍ୱାଗତ କରିଛନ୍ତି ସହରବାସୀ।