କଟକ,(ଏନଏନଏସ ଓଡ଼ିଆ /୨୬.୦୨): କଟକରେ ‘ମ୍ୟୁଜିୟମ ଅଫ୍ ଜଷ୍ଟିସ୍’ର ଉଦ୍ଘାଟନ ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଏହି ମ୍ୟୁଜିୟମ ଭବିଷ୍ୟତ ପିଢ଼ିକୁ ସମୃଦ୍ଧ କରିବ। ବାରବାଟୀ କିଲ୍ଲା ପରିସରରେ ଆଜି ‘ମ୍ୟୁଜିୟମ ଅଫ୍ ଜଷ୍ଟିସ’ ଉଦଘାଟନ କରିବା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏହା କହିଛନ୍ତି। ଏହି ଅବସରରେ ରାଜ୍ୟପାଳ ନ୍ୟାୟପାଳିକା ଓ ବିଚାରପତିଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ନୀତିପରାୟଣତା ବଜାୟ ରଖିବା ପାଇଁ ନ୍ୟାୟପାଳିକା ପ୍ରଶଂସାର ପାତ୍ର ବୋଲି କହିଥିଲେ। କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖି ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ମୁରଲୀଧର କହିଥିଲେ ଯେ ମ୍ୟୁଜିୟମ ଅଫ୍ ଜଷ୍ଟିସ ଦ୍ବାରା କେବଳ ଇତିହାସକୁ ସମ୍ମାନ ଦିଆଯାଇ ନାହିଁ ବରଂ ଇତିହାସ ସୃଷ୍ଟି କରାଯାଇଛି। ଏହି ମ୍ୟୁଜିୟମ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶର ବିଚାରବ୍ୟବସ୍ଥାର ପ୍ରତିଫଳନ। ମ୍ୟୁଜିୟମ ଅଫ୍ ଜଷ୍ଟିସ ଶିଖିବା, ଗବେଷଣା, ଏକତ୍ର କରିବା ଓ ଶିକ୍ଷାଦାନର ସ୍ଥାନ ହେବ ବୋଲି ମୁଖ୍ୟ ବିଚାରପତି ଆଶା ପ୍ରକାଶ କରିଥିଲେ। ଜଷ୍ଟିସ ଦେବବ୍ରତ ଦାଶ ସ୍ବାଗତ ଭାଷଣରେ ଓଡ଼ିଶା ବିଚାରବିଭାଗର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଜଷ୍ଟିସ ଶଶିକାନ୍ତ ମିଶ୍ର ଧନ୍ୟବାଦ େଦଇଥିଲେ। ଏହି କାର୍ଯ୍ୟକ୍ରମରେ ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଜି.ବି.ପଟ୍ଟନାୟକ, ହାଇକୋର୍ଟର ସମସ୍ତ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ଆଡଭୋକେଟ ଜେନେରାଲ, ସରକାରଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏଥି ସହିତ ମ୍ୟୁଜିୟମର ପରାମର୍ଶ କମିଟି ସଦସ୍ୟ ଡକ୍ଟର ଜଷ୍ଟିସ ଏ.େକ.ମିଶ୍ର, ଐତିହାସିକ ନିବେଦିତା ମହାନ୍ତି, ଏ.ବି.ଓତା, ପ୍ରଫେସର ନିହାରରଂଜନ ପଟ୍ଟନାୟକ, ସୁଚିସ୍ମିତା ମନ୍ତ୍ରୀ, ଇନଟାକ୍ ନିର୍ଦ୍ଦେଶିକ ମଲ୍ଲିକା ମିତ୍ର ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ, ବିଶ୍ବବିଦ୍ୟାଳୟ ଆଇନ କଲେଜ, ରେଭେନ୍ସା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନେ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।ଉଲ୍ଲେଖଯୋଗ୍ୟ ଯେ ୧୯୪୮ରେ ଓଡ଼ିଶା ହାଇକେର୍ଟ ପ୍ରତିଷ୍ଠା ହୋଇଥିଲା। ଏହା ପୂର୍ବରୁ ଓଡ଼ିଶା ପ୍ରଦେଶ କଲିକତା ହାଇକୋର୍ଟ କାର୍ଯ୍ୟପରିସରରେ ୧୮୬୨ରୁ ୧୯୧୨ ପର୍ଯ୍ୟନ୍ତ ଓ ପାଟନା ହାଇକୋର୍ଟ ଅଧିନରେ ୧୯୧୨ରୁ ୧୯୪୮ ପର୍ଯ୍ୟନ୍ତ ରହିଥିଲା। ଓଡ଼ିଶାର ଦକ୍ଷିଣାଞ୍ଚଳ ମାଡ୍ରାସ ହାଇକୋର୍ଟ କ୍ଷମତା ପରିସରରେ ଥିଲା। ତେଣୁ ଓଡ଼ିଶା ହାଇକୋର୍ଟର ପୁରୁଣା ରେକର୍ଡ ମଧ୍ୟରେ କଲିକତା, ପାଟନା ଓ ମାଡ୍ରାସ ହାଇକୋର୍ଟ ରହିଛି। ଏହି ମ୍ୟୁଜିୟମରେ ବ୍ରିଟିଶ ଅମଳର ବିଭିନ୍ନ ମାମଲାର ରାୟ ସହିତ ପ୍ରାଚୀନ ରେକର୍ଡର କପି ରହିଛି। ଏଥି ସହିତ ପୂର୍ବରୁ କେମିତି କୋର୍ଟ କାର୍ଯ୍ୟ ହେଉଥିଲା, କିଭଳି ଷ୍ଟାମ୍ପ ଥିଲା ସେ ନେଇ ଐତିହାସିକ ତଥ୍ୟ ଏଠାରେ ରହିଛି। ଶତାଧିକ ବର୍ଷର ପୁରୁଣା ଆଇନ ପୁସ୍ତକ ଠାରୁ ଆରମ୍ଭ କରି ଓଡ଼ିଆ, ବଙ୍ଗଳା ଓ ଅନ୍ୟ ଭାଷାରେ ପ୍ରକାଶିତ ଅଦାଲତଙ୍କ ରାୟ ଏଠାରେ ଦେଖିବାକୁ ମିଳିବ।