ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୫.୦୨): ଯାଜପୁର ଜିଲ୍ଲା ନେଉଳପୁରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ପଶ୍ଚିମବଙ୍ଗର ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାକୁ ନେଇ ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଆହତଙ୍କ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।
ସୄଚନା ମୁତାବକ, ଯାଜପୁର ଜିଲ୍ଲା ନେଉଳପୁରସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ନିକଟ ଜାତୀୟ ରାଜପଥ-୧୬ରେ ସଡ଼କ ଦୁର୍ଘଟଣା ହୋଇଥିଲା । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା । ସୂଚନାନୁସାରେ କୋଲକାତା ପଟୁ ଆସୁଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ଟ୍ରକୁକୁ ଧକ୍କା ଦେବାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିିଥିବା ସମସ୍ତ ୭ ଜଣ କୋଲକାତା ଅଞ୍ଚଳର ଜଣାପଡିଥିଲା ।
ସେମାନେ କୋଲକାତାରୁ ଟ୍ରକ ଯୋଗେ ଆସୁଥିଲେ। ଏଥିସହିତ ଧର୍ମଶାଳା ପୁଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଥିଲା । ୧୬ ନମ୍ବର ଜାତୀୟ ରାଜପଥ ନେଉଳପୁରଠାରେ ଗତକାଲି ଦୁଇଟି ଟ୍ରକ୍ ଧକ୍କା ହୋଇ ଜଳି ଯାଇଥିଲା। ଜଳିଯିବା ପରେ ଟ୍ରକଟି ରାସ୍ତା ଉପରେ ପଡ଼ି ରହିଥିଲା। ଆଜି ଭୋରରୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ କୁକୁଡ଼ା ବୋଝେଇ ଆଇଚର ସେହି ଟ୍ରକକୁ ଧକ୍କା ଦେଇଥିଲା ।