ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୧.୦୨): ଦିନ ୧୦.୩୦ରେ ଜାତୀୟ ସଂଗୀତ ଗାନ ସହ ଆରମ୍ଭ ହୋଇଥିଲା ବଜେଟ୍ ଅଧିବେଶନ । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶିଲାଲ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ରାଜ୍ୟପାଳଙ୍କ ଅଭିଭାଷଣ ଆରମ୍ଭ ହେବା କ୍ଷଣି ପୋଡିୟମ୍ ତଳେ ଛିଡା ହୋଇ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅଭିଯୋଗ କରି ପ୍ରତିବାଦ ଜଣାଇଥିଲେ ବିରୋଧି କଂଗ୍ରେସ । ରାଜ୍ୟପାଳ ତାଙ୍କର ଅଭିଭାଷଣରେ ବିଭିନ୍ନ ଜନକଲ୍ୟାଣ ଯୋଜନା ନେଇ ସୂଚନା ଦେଇଥିଲେ । ଏହା ସହିତ ରାଜ୍ୟ ବିଜୁସ୍ୱାସ୍ଥ୍ୟ କଲ୍ୟାଣର ସୁଫଳ ବଖାଣିଥିଲେ । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ଓ ହକି ବିଶ୍ୱକପ୍ ର ସଫଳତା ବର୍ଣ୍ଣନା କରିଥିଲେ ରାଜ୍ୟପାଳ । ରାଜ୍ୟପାଳ ଅଭିଭାଷଣ ହେଉଥିବା ବେଳେ ବିରୋଧି କଂଗ୍ରେସ ସଦସ୍ୟମାନେ ହୋ ହାଲ୍ଲା ଓ ପାଟିତୁଣ୍ଡ କରିଥିଲେ । ବିରୋଧି ଦଳ ନେତା ନରସିଂହ ମିଶ୍ର ମଧ୍ୟ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ଜଣାଇଥିଲେ । ଅଭିଭାଷଣ ଚାଲିଥିବାବେଳେ ବିଜେପି କକ୍ଷତ୍ୟାଗ କରିବା ସହ ହାତରେ ବିଭିନ୍ନ ପ୍ଲାକାର୍ଡ଼ ଧରି ବିଧାନସଭା କକ୍ଷ ପ୍ରବେଶ ପଥରେ ଧାରଣାରେ ବସିଥିଲେ । ନବ ଦାସ ହତ୍ୟା ଓ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ନେଇ ଜୋର୍ଦାର୍ ପ୍ରତିବାଦ ଦେଖିବାକୁ ମିଳିଥିଲା ।