ନୂଆଦିଲ୍ଲୀ,(ଏନଏନଏସ ଓଡ଼ିଆ /୨୦.୦୨): ଥମୁନି ଶିବସେନା ବିବାଦ । ନିର୍ବାଚନ ଆୟୋଗ ଏକନାଥ ସିନ୍ଦେ ଗୋଷ୍ଠୀକୁ ଶିବସେନା ନା ଓ ନିର୍ବାଚନୀ ଚିହ୍ନ ପ୍ରଦାନ କରିବା ପରେ ପୁଣି ତେଜିଛି ବିବାଦ । ଯାହା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତି ପରେ ସିନ୍ଦେ ଗୋଷ୍ଠୀ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାବିଏଟ ଦାଖଲ କରାଯାଇଛି । ଏହାର ଜବାବ ଦେବାକୁ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ଅନଲାଇନରେ ଆପତ୍ତି ଦାଖଲ କରାଯାଇଛି ।
ଏଥିରେ ନିର୍ବାଚନ ଆୟୋଗଙ୍କ ଆଦେଶକୁ ଚ୍ୟାଲେଞ୍ଜ କରାଯିବା ସହ ଆଜି ତୁରନ୍ତ ଶୁଣାଣି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଗତ ୧୭ ତାରିଖ ଦିନ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ଅଧିକାର ଦେବା ସହ ନିର୍ବାଚନ ପ୍ରତୀକ ଧନୁ ଓ ତୀର ରଖିବାକୁ ଅନୁମତି ଦେଇଥିଲେ ଭାରତୀୟ ନିର୍ବାଚନ ଆୟୋଗ । ଯାହା ଫଳରେ ଉଦ୍ଧବ ଠାକରେ ଙ୍କୁ ମିଳିଛି ବଡ଼ ଝଟକା । ଆଉ ଏହାକୁ ବିରୋଧ କରି ଆଜି ସର୍ବୋଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ଉଦ୍ଧବ ଠାକରେଙ୍କ ଗୋଷ୍ଠୀ । ଗତ ବର୍ଷ ଏକନାଥ ସିନ୍ଦେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିଦ୍ରୋହ କରିଥିଲେ । ଦଳର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୪୦ ଜଣଙ୍କ ସମର୍ଥନ ଥିବା ଦାବି କରିଥିଲେ । ଏହା ପରେ ଉଦ୍ଧବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ରାଜ୍ୟରେ ଚାଲିଥିବା ମହା ବିକାଶ ଅଘାଡି ସରକାର ଭାଙ୍ଗିଯାଇଥିଲା । ପରେ ଏକନାଥ ଗୋଷ୍ଠୀ ବିଜେପି ସମର୍ଥନରେ ସରକାର ଗଢିଥିଲେ ଓ ଏକନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏବେ ଏକନାଥ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ଅଧିକାର ଦେଇଛନ୍ତି ଭାରତୀୟ ନିର୍ବାଚନ ଆୟୋଗ ।