ଭୁବନେଶ୍ବରଭୁବନେଶ୍ବର,(ଏନଏନଏସ ଓଡ଼ିଆ /୨୦.୦୨): ଆସନ୍ତାକାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ। ଏଥର ଅଧିବେଶନ ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ଆସନ୍ତାକାଲି ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିବ। ହେଲେ ବିଧାନସଭାରେ କିପରି ବିରୋଧୀ ଶାସକ ଦଳକୁ ଘେରିବେ ଏବଂ ଶାସକ ଦଳ କିପରି ବିରୋଧୀଙ୍କୁ ମୁକାବିଲା କରିବ ସେନେଇ ରଣନୀତି ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଏବେ ଠାରୁ ସ୍ପଷ୍ଟ ଜଣାପଡ଼ିଲାଣି ଯେ ଏଥରର ବଜେଟ୍ ଅଧିବେଶନ ଚଳାଇବା ବାଚସ୍ପତିଙ୍କ ପକ୍ଷେ ଏତେ ସହଜ ହେବନି।
ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତାକାଲି ଅପରାହ୍ନରେ ବିଜେପିର ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ବାସଭବନରେ ବସିବ। ଏଥିରେ ବିଧାନସଭାରେ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେବ। ବିଶେଷ କରି ନବ ଦାସ ହତ୍ୟାକାଣ୍ଡକୁ ୨୦ଦିନ ବିତିଯାଇଥିଲେ ବି ହତ୍ୟାର କାରଣ କାହିଁକି ଜଣାପଡ଼ୁନି, ଏହା ପଛରେ କାହାର ଷଡ଼ଯନ୍ତ୍ର ଅଛି ତାହାକୁ ନେଇ ବିଜେପି ସରକାରଙ୍କ ଠାରୁ ଜବାବ୍ ମାଗିବ। ଦଳର ଜଣେ ନେତା କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଏହାକୁ ନେଇ ଗତ କିଛି ଦିନ ହେଲା ବିଜେପି ରାଜରାସ୍ତାକୁ ଓହ୍ଲାଇଛି। ଗୃହରେ ଏହାକୁ ବି ପ୍ରସଙ୍ଗ କରିବ। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ଆକ୍ରମଣ ପ୍ରତିବାଦରେ ବିଜେପି ବିଧାୟକମାନେ ବିଧାନସଭାରେ ହୋହଲ୍ଲା କରିବେ ବୋଲି ଜଣାପଡ଼ିଛି।
ସେହିପରି କଂଗ୍ରେସ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ଚାଷୀଙ୍କ ସମସ୍ୟା, ନବ ଦାସ ହତ୍ୟାକାଣ୍ଡ ଘଟଣାକୁ ପ୍ରସଙ୍ଗ କରିବ। ଏହାସହ ବିରୋଧୀ ଦଳ ନେତାଙ୍କ ବିବାଦୀୟ ବୟାନ ‘ତାଙ୍କ ପୂର୍ବରୁ ଶାସକ ଦଳ ବିରୋଧୀ ଦଳଙ୍କୁ ମ୍ୟାନେଜ୍ କରୁଥିଲା’ ପ୍ରସଙ୍ଗରେ କଂଗ୍ରେସ ବିଜେପିକୁ ଘେରିବ। ବିରୋଧୀ ଦଳ ନେତା ତାଙ୍କ ବୟାନ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରିବ। ବିଧାନସଭା ଅଧିବେଶନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ଦେବା ପରେ କଂଗ୍ରେସ ବିଧାୟକ ଦଳ ବୈଠକ ବସି ରଣନୀତି ପ୍ରସ୍ତୁତ ହେବ ବୋଲି ଜଣାପଡ଼ିଛି।
ଅପରପକ୍ଷେ ବିରୋଧୀ ବିଜେପିର ମୁକାବିଲା କିପରି କରାଯିବ ସେନେଇ ବିଜେଡି ରଣନୀତି ପ୍ରସ୍ତୁତ କରିଛି। ବିଶେଷକରି ବିରୋଧୀ ଦଳ ନେତା ଜଣେ କର୍ତ୍ତବ୍ୟରତ ପୁଲିସ ଅଧିକାରୀଙ୍କୁ ମାଡ଼ ମାରିଥିବାରୁ ତାଙ୍କୁ ବହିଷ୍କାର କରିବାକୁ ଦାବି କରିବ। ଏହାସହ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଦେଉଥିବା ୫କେଜି ଚାଉଳ କାହିଁକି କାଟିଲେ? ଓଡ଼ିଶାକୁ କାହିଁକି ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବନି? ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଦାବିରେ ବିରୋଧୀ ବିଜେପିକୁ ଘେରିବ ବୋଲି ଜଣାପଡ଼ିଛି। ଏନେଇ ବ୍ୟାପକ ରଣନୀତି ଆସନ୍ତା ମଙ୍ଗଳବାର ବିଧାନସଭା ଅଧିବେଶନ ପୂର୍ବରୁ ବିଧାନସଭାର ୫୪ନଂ ପ୍ରକୋଷ୍ଠରେ ବସିବାକୁ ଥିବା ବିଧାୟକ ଦଳ ବୈଠକରେ ଚୂଡ଼ାନ୍ତ ହେବ।