କେପ୍ଟାଉନ୍,(ଏନଏନଏସ ଓଡ଼ିଆ /୧୮.୦୨): ଚଳିତ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ର ଅଷ୍ଟମ ସଂସ୍କରଣରେ ଶୁକ୍ରବାର ନ୍ୟୁଜିଲାଣ୍ଡ୍ ତା’ର ତୃତୀୟ ମ୍ୟାଚ୍ ଖେଳିଥିବା ବେଳେ ଏଥିରେ ବାଂଲାଦେଶକୁ ୭୧ ରନ୍ରେ ପରାସ୍ତ କରିଛି । ପୂର୍ବରୁ ଅଷ୍ଟ୍ରେଲିଆ ଓ ସାଉଥ୍ ଆଫ୍ରିକାଠାରୁ ପରାସ୍ତ ହୋଇସାରିଥିବା ନ୍ୟୁଜିଲାଣ୍ଡ୍ ଟୁର୍ଣ୍ଣାମେଣ୍ଟ୍ରେ ତା’ର ପ୍ରଥମ ବିଜୟ ହାସଲ କରିଛି ।
ପ୍ରଥମେ ବ୍ୟାଟିଂ କରି ଦଳ ୩ ୱିକେଟ୍ ବିନିମୟରେ ୧୮୯ ରନ୍ କରିଥିଲା । ଦଳ ପକ୍ଷରୁ ଓପନର ସୁଜି ବେଟ୍ସ ମାତ୍ର ୬୧ ବଲ୍ରେ ୭ଟି ଚୌକା ଓ ଗୋଟିଏ ଛକା ସହ ୮୧ ରନ୍ କରିଥିଲେ । ଏହାଛଡ଼ା ଓପନର ବେର୍ନାଡାଇନ୍ ବିଜୁଡେନ୍ହାଉଟ୍ ୫ଟି ଚୌକା ସହ ୪୪ ରନ୍ କରିଥିଲେ । ଆହୁରି ମାଡି ଗ୍ରୀନ୍ ମାତ୍ର ୨୦ ବଲ୍ ଖେଳି ୭ଟି ଚୌକା ଜରିଆରେ ୪୪ ରନ୍ କରି ବେଟ୍ସଙ୍କ ସହ ଅପରାଜିତ ଥିଲେ । ଉଭୟଙ୍କ ମଧ୍ୟରେ ଚତୁର୍ଥ ୱିକେଟ୍ରେ ଅବିଭାଜିତ ୮୨ ରନ୍ର ବଳିଷ୍ଠ ଭାଗୀଦାରୀ ମଧ୍ୟ ହୋଇଥିଲା । ବାଂଲାଦେଶ ପକ୍ଷରୁ ଫହିମା ଖାତୁନ୍ ୨ଟି ଓ ଶୋର୍ନା ଅଖ୍ତର ଗୋଟିଏ ୱିକେଟ୍ ନେଇଥିଲେ । ଦଳ ବ୍ୟାଟିଂରେ ୮ ୱିକେଟ୍ ହରାଇ ମାତ୍ର ୧୧୮ ରନ୍ କରିପାରିଥିଲା ।
ଦଳ ପକ୍ଷରୁ ଶୋର୍ନା ୪ଟି ଚୌକା ସହ ୩୧, ଓପନର ମୁର୍ଶିଦା ଖାତୁନ୍ ୩ଟି ଚୌକା ସହ ୩୧ ଏବଂ ଅନ୍ୟତମ ଓପନର ଶମିମା ସୁଲ୍ତାନା ଗୋଟିଏ ଲେଖାଏଁ ଚୌକା ଓ ଛକା ଜରିଆରେ ୧୪ ରନ୍ କରିଥିଲେ । ଦଳର ଆଉ କୌଣସି ବ୍ୟାଟ୍ସଓମ୍ୟାନ୍ ଦୁଇ ଅଙ୍କରେ ବି ପହଞ୍ଚି ପାରି ନ ଥିଲେ । ନ୍ୟୁଜିଲାଣ୍ଡ୍ ପକ୍ଷରୁ ଇଡେନ୍ କାର୍ସନ୍ ୩ଟି, ହାନ୍ନା ରୋୱେ ୨ଟି ଏବଂ ଲିଆ ତାହୁହୁ ଓ ଆମେଲିଆ କେର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ବଳିଷ୍ଠ ଇନିଂସ ପାଇଁ ବେଟ୍ସ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।