ଭୁବନେଶ୍ବର,(ଏନଏନଏସ ଓଡ଼ିଆ /୧୬.୦୨): ୨୦୨୪ ନିର୍ବାଚନ ପୂର୍ବରୁ ଏସଏଚଜି ପାଇଁ ବିଜେଡି ସରକାରଙ୍କ ସ୍ୱତନ୍ତ୍ର ଷ୍ଟ୍ରାଟେଜି। ଏବେ ୧୫ଟି ବିଭାଗରେ ଏସଏଚଜି ନିୟୋଜିତ ହୋଇଥିବା ବେଳେ ଆଗକୁ ସବୁ ବିଭାଗରେ ନିୟୋଜିତ ହେବେ । ଫାଇଭ-ଟି ସ୍କୁଲ ପରିଚାଳନା ଦାୟିତ୍ୱ ତୁଲାଇବେ ଆଉ ଜଙ୍ଗଲରେ ନିଆଁ ଲିଭା କାମରେ ବି ନିୟୋଜିତ ହେବେ । ଆସନ୍ତା ୩ ବର୍ଷ ମଧ୍ୟରେ ୫୦ ହଜାର ଏସଏଚଜିକୁ ଏସଏମଇ ବା ସ୍ମଲ ଏଣ୍ଡ ମିଡିଅମ ସାଇଜ୍ଡଏଣ୍ଟରପ୍ରାଇଜସ୍ ପରିଣିତ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ପ୍ରତି ଜିଲ୍ଲାରେ ମହିଳାଙ୍କ ପାଇଁ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ କରାଯିବ । ଏଥିପାଇଁ ଜମି ଚିହ୍ନଟ ପ୍ରକ୍ରିୟା ଶୀଘ୍ର ସାରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୩ ବର୍ଷ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ସରକାରଙ୍କ ଏଭଳି ନିଷ୍ପତ୍ତି ପରେ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଜେପି ଓ କଂଗ୍ରେସ ଭୋଟ୍ ବ୍ୟାଙ୍କ ପଲିଟିକ୍ସ ବୋଲି କହିଥିବାବେଳେ କେବଳ ଏସଏଚଜିଙ୍କୁ ସଶକ୍ତିକରଣ କରିବା ପାଇଁ ଏହା ପ୍ରୟାସ ବୋଲି ବିଜେଡି କହିଛି । ବିଜେପି କହିଛି ମାଗଣା ଚାଉଳରୁ ରାଜ୍ୟ ସରକାରଙ୍କ ପତ୍ତା କଟିବା ପରେ ଏବେ ବିଜେଡି ପାଖରେ ମୁଖ୍ୟ ଭୋଟ୍ ବ୍ୟାଙ୍କ ଏସଏଚଜି । ସେହିପରି କଂଗ୍ରେସ କହିଛି ଏହା ବିଜେଡିର ଭୋଟ ବ୍ୟାଙ୍କ ରାଜନୀତି । ଜବାବରେ ବିଜେଡି କହିଛି ଏସଏଚଜିଙ୍କୁ ସଶକ୍ତିକରଣ କରିବା ପାଇଁ ସରକାରଙ୍କ ପ୍ରୟାସ ସଠିକ୍ ଦିଶାରେ ଚାଲିଛି । ସାରା ରାଜ୍ୟରେ ୬ ଲକ୍ଷ ଏସଏଚଜିରେ ପ୍ରାୟ ୭୦ ଲକ୍ଷ ମହିଳା ଥିବା କୁହାଯାଉଛି । ଯାହାର ସିଧା ଫାଇଦା ପାଉଛି ବିଜେଡି । ୨୪ପାଇଁ ବିଜେଡିର ଏବେ ତ୍ରିଶକ୍ତି ଫର୍ମୁଲାକୁ ଗୁରୁତ୍ୱ ଦିଆଯାଉଛି । ମହିଳା, ଯୁବ ଏବଂ ଚାଷୀକୁ ଫୋକସରେ ରଖିଛି ଦଳ । ସେଥିପାଇଁ ମହିଳା ଭୋଟ ବ୍ୟାଙ୍କ ବଜାଇ ରଖିବାକୁ ସରକାରଙ୍କଏହି ଷ୍ଟ୍ରାଟେଜୀ ବୋଲି ଚର୍ଚ୍ଚା ହେଉଛି ।